Odisha Link
Bridging the Missing Links in Odisha

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଦୌଡ଼ରେ ଏହି ସବୁ ନେତା

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନାତ ପାର୍ଟି। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀ ମାନେ ଶପଥ ନେବେ। ଏଥିପାଇଁ ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଏବେ ବି ଲାଗି ରହିଛି କଳ୍ପନା ଜଳ୍ପନା। ନିର୍ବାଚନ ଫଳାଫଳ ଆସିବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। କେବଳ ବିଜେପି ନେତା ଓ କର୍ମୀ ନୁହନ୍ତି, ସାରା ରାଜ୍ୟବାସୀ ଚାହିବସିଛନ୍ତି କାହାକୁ ବିଜେପି ଏହି ଗୁରୁତ୍ବପୂର୍ଣ୍ଣ ପଦବି ଦେଉଛି। ବିଜେଡି ୨୪ ବର୍ଷ ହେଲା କ୍ଷମତାରେ ଥିଲା। ତେଣୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ବିଜେପିକୁ ବେଶ୍‌ ସତର୍କତାର ସହ ଗୋଟି ଚଳାଇବାକୁ ପଡ଼ୁଛି।

ସବୁଠୁ ବଡ଼ କଥା ହେଲା ନିର୍ବାଚନ ପ୍ରଚାର ସମୟରେ ବିଜେପି ଯେପରି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି, ତାହାକୁ ପୂରଣ କରିବା ପାଇଁ ଏକ ଦୃଢ଼ ସରକାର ଦରକାର। ନୂଆ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ କାମ କରି ସେହି ପ୍ରତିଶ୍ରୁତି ପୂରଣ କରିବେ, ଯାହା ଦୃଢ଼ ନେତୃତ୍ବ ବିନା ଅସମ୍ଭବ। ପ୍ରଥମ ଥର ବିଜେପି ଏକା ସରକାର ଗଢ଼ୁଥିବାରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ଭାବମୂର୍ତ୍ତି ଦଳର ଭବିଷ୍ୟତ ପାଇଁ ବହୁ ଗୁରୁତ୍ବ ରଖୁଛି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ସବୁ ନେତା:

ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚାରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମ ମଧ୍ୟ ରହିଛି। ସୁରେଶଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପଶ୍ଚିମ ଓଡ଼ିଶା କାର୍ଡ ଖେଳିପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି। ଏହାବ୍ୟତୀତ କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରିଥିବା ଲକ୍ଷ୍ମଣ ବାଗଙ୍କ ନାମ ମଧ୍ୟ ଆଲୋଚନାରେ ରହିଛି।

ସେପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ଏବେ ମଧ୍ୟ ଆଗରେ ରହିଛି। ସେ ନିଜେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ହେଁ ଗୋଟିଏ ବର୍ଗ ତାଙ୍କ ସପକ୍ଷରେ ଲବି ଚଳାଇଛନ୍ତି। ବିଜେପି ଆଦିବାସୀ କାର୍ଡ ଖେଳିପାରେ ବୋଲି ମଧ୍ୟ କୁହାଯାଉଛି। ଯଦି ଏମିତି କିଛି ଶୀର୍ଷ ସ୍ତରରେ ନିଷ୍ପତ୍ତି ହୁଏ, ତେବେ ମୋହନ ମାଝୀଙ୍କ ନାମ ଆଗରେ ରହିବ। ସେ ଚାରି ଥର ବିଧାନସଭାକୁ ନିର୍ବାଚିତ ‌ହୋଇସାରିଲେଣି। ମେଣ୍ଟ ସରକାର ସମୟରେ ସେ ଉପ ମୁଖ୍ୟସ‌ଚେତକ ଭାବେ ଦାୟିତ୍ବ ତୁଲାଇଥିଲେ।

Leave A Reply

Your email address will not be published.