୨୫ ବର୍ଷ ପରେ ଓଡ଼ିଶାକୁ ମିଳିଲା ଉପ-ମୁଖ୍ୟମନ୍ତ୍ରୀ, ଶପଥ ନେଲେ ପ୍ରଭାତୀ ପରିଡା ଓ କେଭି ସିଂଦେଓ
ଓଏଲ୍ ବ୍ୟୁରୋ: ବଦଳିଲା ଓଡ଼ିଶାର ୨୫ବର୍ଷର ଇତିହାସ। ବିଜେପି ବିଧାୟକ ଭାବେ କେନ୍ଦୁଝର ଆସନରୁ ଜିତିଥିବା ମୋହନ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଜନତା ମୈଦାନରେ ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀ। ଏହା ସହ ୨୫ ବର୍ଷ ପରେ ଓଡିଶା ପାଇଲା ଉପ-ମୁଖ୍ୟମନ୍ତ୍ରୀ। ଉପ-ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ଶପଥ ଗ୍ରହଣ କରିଛନ୍ତି।
ସୂଚନା ଅନୁସାରେ, ୨୫ ବର୍ଷ ପରେ ଓଡ଼ିଶାକୁ ଉପ ମୁଖ୍ୟମନ୍ତ୍ରୀ ମିଳିଛି। ପ୍ରଭାତୀ ପରିଡା ଓ କେଭି ସିଂଦେଓ ଉପ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି। ଓଡିଶାରେ ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଥିଲେ ଉପ ମୁଖ୍ୟମନ୍ତ୍ରୀ। ସେ ଓଡିଶାର ଶେଷ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ। ଓଡିଶା ଇତିହାସରେ ୩ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୀଳମଣୀ ରାଉତରାୟ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାଳରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ ୨୫ ବର୍ଷ ପରେ ଓଡ଼ିଶାକୁ ଏବେ ପୁଣି ଉପ ମୁଖ୍ୟମନ୍ତ୍ରୀ ପାଇଛି।
ପ୍ରଭାତୀ ପରିଡା ଓ କେଭି ସିଂ ଦେଓଙ୍କୁ ଦଳ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କରିଛି। ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ। ସେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ। ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ। ୨୦୧୯ରେ ବି ସେ ପରାଜିତ ହୋଇଥିଲେ। ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ। ତେଣୁ ୨୦୨୪ରେ ବି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା ଆଉ ସେ ବିଜୟୀ ହୋଇଥିଲେ। ଆଉ ଜିତୁ ଜିତୁ ଦଳ ତାଙ୍କୁ ଉପହାର ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି।