ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାଳମାଳ ଫେକ୍ ଆଇଡି, ଚର୍ଚ୍ଚାରେ ପ୍ରକୃତ ଆଇଡି କେଉଁଟି ?
ଓଏଲ୍ ବ୍ୟୁରୋ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇ ସାରିଛନ୍ତି। ୪ଥରର ବିଧାୟକ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ଶାସନଭାର ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି। ଖୋଦ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କୁ ରାଜ୍ୟ, ଦେଶର କୋଣ ଅନୁକୋଣରୁ ଆସୁଛି ଶୁଭେଚ୍ଛାର ସୁଅ।
ଏସବୁ ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟ୍ୟାଗ୍ କରାଯାଇ ଶୁଭେଚ୍ଛା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମସ୍ତେ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେ ପୁଣି ମୋହନ ମାଝୀଙ୍କ ନାମରେ ଥିବା ବିଭିନ୍ନ ଅକାଉଣ୍ଟକୁ ଟ୍ୟାଗ୍ କରୁଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ଶପଥ ନେବା ପରଠାରୁ ଏବେଯାଏ ମୋହନଙ୍କ ନାମରେ ୩୦ରୁ ଅଧିକ ଫେକ୍ ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇଛି। ଏନେଇ ସୂଚନା ଦେଇଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ।
ପ୍ରଶାନ୍ତ ସାହୁ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଆମ ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ୩୦+ ଟ୍ୱିଟର ବ୍ୟବହାରକାରୀ ସୃଷ୍ଟି ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ସରକାରୀ ଏକ୍ସ ଆଇଡି ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଅନୁରୋଧ।”
ସବୁଠୁ ବଡ଼କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗସ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀକୁ ନେଇ ମଧ୍ୟ ଳଗାତାର ପୋଷ୍ଟ କରାଯାଉଛି। ଏପରିକି ସିଏମଓ ଓଡ଼ିଶା ଓ ଭାଜପା ଓଡ଼ିଶା ଏକ୍ସ ହ୍ୟାଣ୍ଡେଲ ମଧ୍ୟ ଭିନ୍ନ ଭିନ୍ନ ଆଇଡିକୁ ଟ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ସରକାରୀ ଟ୍ବିଟର ହ୍ୟାଣ୍ଡେଲ ଜଣାପଡୁ ନ ଥିବାବେଳେ ୩୦ରୁ ଅଧିକ ଫେକ୍ ଆକାଉଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରକୃତ ଆଇଡି କେଉଁଟି ଜଣାପଡୁ ନଥିବାରୁ ୟୁଜର୍ସ ତାକୁ ଫଲୋ ମଧ୍ୟ କରୁଛନ୍ତି। ତେବେ @MohanMOdisha ନାମକ ଆକାଉଣ୍ଟକୁ ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ରିଅଲ ଆଇଡି କୁହାଯାଉଛି। ଏହି ଆକାଉଣ୍ଟକୁ ୧୯ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି।