Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଆଇଡି ଦ୍ବନ୍ଦ୍ବ ଦୂର କଲା ସୂଚନା ଓ ଲୋକସମ୍ପର୍କ ବିଭାଗ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇ ସାରିଛନ୍ତି। ଓଡ଼ିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କୁ ରାଜ୍ୟ, ଦେଶର କୋଣ ଅନୁକୋଣରୁ ଆସୁଛି ଶୁଭେଚ୍ଛାର ସୁଅ। ସୋସିଆଲ ମିଡିଆରେ ମଧ୍ୟ ମୋହନ ମାଝୀଙ୍କ ନାମରେ ଥିବା ବିଭିନ୍ନ ଆଇଡିକୁ ଛୁଟୁଛି ଶୁଭେଚ୍ଛାର ସୁଅ। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଆଇଡି କେଉଁଟି ତାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଏସବୁ ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟ୍ୟାଗ୍‌ କରାଯାଇ ଶୁଭେଚ୍ଛା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମସ୍ତେ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେ ପୁଣି ମୋହନ ମାଝୀଙ୍କ ନାମରେ ଥିବା ବିଭିନ୍ନ ଅକାଉଣ୍ଟକୁ ଟ୍ୟାଗ୍‌ କରୁଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ଶପଥ ନେବା ପରଠାରୁ ଏବେଯାଏ ମୋହନଙ୍କ ନାମରେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇଥିବା ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଆଇଡିଟି କେଉଁଟି ତାକୁ ନେଇ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି।

ଏସବୁ ମଧ୍ୟରେ ସ୍ପଷ୍ଟୀକରଣ ରଖିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସନ୍ଧ୍ୟାରେ ବିଭାଗ ତରଫରୁ ଏକ୍ସ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ https://x.com/MohanMOdisha ଆଇଡି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଇଡି। ଅନ୍ୟସବୁ ଆଇଡି ଫେକ୍‌ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସବୁଠୁ ବଡ଼କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗସ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀକୁ ନେଇ ମଧ୍ୟ ଳଗାତାର ପୋଷ୍ଟ କରାଯାଉଛି। ଏପରିକି ସିଏମଓ ଓଡ଼ିଶା ଓ ଭାଜପା ଓଡ଼ିଶା ଏକ୍ସ ହ୍ୟାଣ୍ଡେଲ ମଧ୍ୟ ଭିନ୍ନ ଭିନ୍ନ ଆଇଡିକୁ ଟ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ସରକାରୀ ଟ୍ବିଟର ହ୍ୟାଣ୍ଡେଲ ଜଣାପଡୁ ନ ଥିବାବେଳେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରକୃତ ଆଇଡି କେଉଁଟି ଜଣାପଡୁ ନଥିବାରୁ ୟୁଜର୍ସ ତାକୁ ଫଲୋ ମଧ୍ୟ କରୁଛନ୍ତି।

Leave A Reply

Your email address will not be published.