ନିଟ୍ ପରୀକ୍ଷାଫଳ ବିବାଦ: ମୁହଁ ଖୋଲିଲେ ଶିକ୍ଷା ମନ୍ତ୍ରୀ, କହିଲେ-ହୋଇନି ଭ୍ରଷ୍ଟାଚାର
ଓଏଲ୍ ବ୍ୟୁରୋ: ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ନିଟ୍ ବିବାଦ ନେଇ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି। ଗ୍ରେସ ମାର୍କକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏହି ବିବାଦ ଲାଗିି ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷାରେ କୌଣସି ଭ୍ରଷ୍ଟାଚାର ହୋଇନି। ପୂରା ସ୍ୱଚ୍ଛତାର ସହ ପରୀକ୍ଷା ହୋଇଛି। କୌଣସି ପେପର ମଧ୍ୟ ଲିକ୍ ହୋଇନି। କେହି ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ଦଣ୍ଡିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ନିଟ୍ ବିବାଦ ଚର୍ଚ୍ଚାରେ ଥିବାବେଳେ ଆଜି ସୁପ୍ରିମକୋର୍ଟ ନେଲେ ସୁପ୍ରିମ ନିଷ୍ପତ୍ତି। ନିଟ୍ କାଉନ୍ସେଲିଂ ଉପରେ ଆଉ ଲାଗିବନି ରୋକ୍। ୧୫୬୩ ପରୀକ୍ଷାର୍ଥୀଙ୍କୁ ଯେଉଁ ଗ୍ରେସ୍ ମାର୍କ ମିଳିଥିଲା। ସେମାନଙ୍କର ସ୍କୋର କାର୍ଡ ରଦ୍ଦ କରାଯାଇଛି। ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀ ପୁଣି ଦେବେ ପରୀକ୍ଷା। ଜୁନ୍ ୨୩ରେ ପରୀକ୍ଷା ହେବ। ସେହିପରି ଜୁନ୍ ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।