Odisha Link
Bridging the Missing Links in Odisha

କୁଏତ ଅଗ୍ନିକାଣ୍ଡ: ତିଗିରିଆ କରାଡପଲ୍ଲୀ ଗାଁର ମହମ୍ମଦ ଜହୁର ମୃତ

ଓଏଲ୍‌ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡ ଘଟଣାରେ ୪୯ ଜଣଙ୍କ ପ୍ରାଣହାନୀ ଘଟିଛି। ମୋଟ ୪୯ ମୃତକଙ୍କ ମଧ୍ଯରୁ ୪୫ ଜଣ ହେଉଛନ୍ତି ଭାରତୀୟ। ସେ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ଆଠଗଡ ତିଗିରିଆ ଅଞ୍ଚଳର ମହମ୍ମଦ ଜହୁର ବୋଲି ସୂଚନା ରହିଛି।

କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ। ଏକ ଟ୍ରେଡିଂ କମ୍ପାନୀରେ ସିଭିଲ ଲାବ୍ରୋଟରୀ ଟେକ୍ନିସିଆନ ଭାବେ କାମ କରୁଥିଲେ ମହମ୍ମଦ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ ମହମ୍ମଦ।ଅଗ୍ନିକାଣ୍ଡ ସମୟରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ।

ନିଆଁ ଲାଗିବା ପରେ ସମସ୍ତେ ନିଦରୁ ଉଠି ଉପର ମହଲାକୁ ପଳାଇଯାଇଥିଲେ। ହେଲେ ପ୍ରବଳ ଧୁଆଁ ଯୋଗୁଁ ଅଣନିଶ୍ୱାସୀ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜୁହୁରଙ୍କ ପତ୍ନୀ ୭ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ସେହିପରି ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ବ୍ଲକ ରଣଝେଳି ଗାଁର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। କାମରୁ ଫେରି ରୁମରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ଶ୍ୱାସରୁଦ୍ଦ ହୋଇ ତାଙ୍କର ଅକାଳ ବିୟୋଗ ହୋଇଛି। ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ମୋଟ ୪୫ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ନେଇ ଭାରତ ଫେରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ।

Leave A Reply

Your email address will not be published.