ଜୁନ୍ ୨୨ରେ ସ୍ନାନଯାତ୍ରା: ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ
ଓଏଲ୍ ବ୍ୟୁରୋ: ଜୁନ୍ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରସ୍ତୁତି ଯୋରଦାର କରୁଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନ୍ନ ପୂର୍ଣ୍ଣିମା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଛି ଆଲୋଚନା।
ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ଜୁନ୍ ୨୨ ତାରିଖ ଭୋର ୫ଟାରୁ ତିନି ଠାକୁରୁଙ୍କ ପହଣ୍ଡି ଆରମ୍ଭ ହେବ।ପହଣ୍ଡି ଶେଷ ଓ ତିନିଠାକୁର ସ୍ନାନବେଦିରେ ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ। ବୈଠକରେ ହୋଇଥିବା ନିର୍ଘଣ୍ଟ ନୀତିକାନ୍ତି ଅନୁଯାୟୀ, ଭୋର ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହେବ।
ସସେହିପରି ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରୁ ଶ୍ରୀଜିଉ ଗଜବେଶ ଆରମ୍ଭ ହେବ। ଗଜବେଶ ଶେଷପରେ ଅପରାହ୍ନ ୪ଟାରେ ମହନ୍ତ ଶାଢ଼ୀବନ୍ଧା, ସାଢ଼େ ୫ଟାରୁ ୭ଟା ୨୦ ଭିତରେ ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ରାତି ସାଢ଼େ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିବ। ରାତି ୧୧ଟାରେ ଗଜବେଶ ଓଲାଗି ପରେ ସାଢ଼େ ୧୧ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ରାତି ୨ଟା ଭିତରେ ଶେଷ ହେବ। ସେହିଦିନ ରାତି ସାଢ଼େ ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।
ଅନ୍ୟପଟେ ଜୁନ୍ ୧୭ ତାରିଖରେ ରାଜେନ୍ଦ୍ରାଭିଷେକ ନୀତି। ଜୁନ୍ ୧୮ ତାରିଖରେ ଋକ୍ମିଣୀହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଏବଂ ୧୯ ତାରିଖରେ ଚମ୍ପକଦ୍ବାଦଶୀ ଓ ମହାପ୍ରଭୁଙ୍କ ଗୁଆଲି। ଦେବସ୍ନାନ ପୂର୍ଣ୍ଣିମା ପାଇଁ ୨୦ ତାରିଖରେ ଦଇତାପତି ପ୍ରବେଶ ଓ ୨୧ ତାରିଖରେ ସେନାପଟା ଲାଗି ନୀତି ରହିଛି। ଏହାର ନୀତିକାନ୍ତି ଓ ନୀତି ଶୃଙ୍ଖଳା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ ବି ଛତିଶାନିଯୋଗର ମୋହର ବାଜିଛି।