Odisha Link
Bridging the Missing Links in Odisha

ଲେଖକଙ୍କୁ ୧୭ ଲକ୍ଷ ଟଙ୍କା ରାଜଭାଗ ଦେଲା ପେନ୍‌ ଇନ୍‌ ବୁକ୍ସ

ପେନ୍‌ ଇନ୍‌ ବୁକ୍ସ ବନ୍ଧୁମିଳନ ଓ ରାଜଭାଗ ପ୍ରଦାନ ସମାରୋହ ୨୦୨୪

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମଟେଡ୍‌ ପକ୍ଷରୁ ବାର୍ଷିକ ବନ୍ଧୁମିଳନ ଓ ରାଜଭାଗ ପ୍ରଦାନ ସମୋରାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଓଡ଼ିଆ ମିଡିଆର ପ୍ରକାଶନ ଉପକ୍ରମ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ୪୪ ଜଣ ଲେଖକଙ୍କୁ ୧୬ ଲକ୍ଷ ୭୬ ହଜାର ୯୨୨ ଟଙ୍କାର ରାଜଭାଗ ଅର୍ଥ ପ୍ରଦାନ କରାଯାଇଛି।

ସ୍ଥାନୀୟ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନାସନାଲରେ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ଏହି ସମାରୋହକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଏକ ମଞ୍ଚ ପ୍ରସ୍ତୁତ ହୋଇଛି ଯେଉଁଠି ଲେଖକ ଓ ପ୍ରକାଶକ ଏକାଠି ହୋଇ ପାରିଛନ୍ତି। ଏଭଳି ଉଦ୍ୟମ ସ୍ବାଗତଯୋଗ୍ୟ ଓ ଅନ୍ୟ ପ୍ରକାଶକମାନେ ଏହାକୁ ଅନୁସରଣ କରିବା ଉଚିତ ବୋଲି ସେ ମତ ରଖିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଶ୍ରୀ ଦାଶ ବେନହୁର କହିଥିଲେ ଯେ ଓଡ଼ିଆ ମିଡିଆ ଗୋଟିଏ ଅନୁଷ୍ଠାନ ଯିଏ ପାଠକଙ୍କ ରୁଚିକୁ ପରଖିପାରେ ଓ ଲେଖକଙ୍କୁ ବରାଦ କରି ବହି ଛପାଏ। ଅଧିକାଂଶ ଲେଖକ-ପ୍ରକାଶକ ସମ୍ପର୍କ ପରସ୍ପର ଭିତରେ ସୀମତି। ଖୁବ୍‌ କମ ପ୍ରକାଶକ ଓ ଲେଖକ୍‌ ପାଠକଙ୍କୁ ଗୁରୁତ୍ବ ଦେଇ ପୁସ୍ତକ ପ୍ରସ୍ତୁତି କରିଥାଆନ୍ତି।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଅନୁବାଦକ ଶ୍ରୀ ଯତୀନ୍ଦ୍ର କୁମାର ନାୟକ କହିଥିଲେ ଯେ ଓଡ଼ିଶାରେ ଲେଖକଙ୍କୁ ରାଜଭାଗ ମିଳିବା ଲଙ୍କାରେ ହରିଶବ୍ଦ ଭଳି। ପୂର୍ବରୁ ଲେଖକ ପ୍ରକାଶକଙ୍କୁ ଖଳନାୟକ ବୋଲି ଭାବୁଥିଲେ। ଦୀର୍ଘଦିନ ଧରି ଚାଲିଥିବା ଏ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଭଳି ସାହସିକ ପଦକ୍ଷେପ ନେଇ ଓଡ଼ିଆ ମିଡିଆ ଏକ ବିପ୍ଲବ ଆରମ୍ଭ କରିଛି।

ଉତ୍ସବରେ ଅଧ୍ୟକ୍ଷତା କରି କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଲେ ଯେ ୨୦୦୬ ମସିହାରେ ଏକ ସୌଖିନ ପ୍ରକାଶନ ସଂସ୍ଥା ଭାବରେ ଜନ୍ମନେଇଥିବା ପେନ୍‌ ଇନ୍‌ ବୁକ୍ସ ଏବେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ବୃତ୍ତିଗତ ପ୍ରକାଶନ ବ୍ୟବସାୟରେ ପରିଣତ ହୋଇଛି। ଓଡ଼ିଶାରେ ଦିନକୁ ଦିନ ବହି ବିକ୍ରି ବୃଦ୍ଧିପାଉଛି। ଓଡ଼ିଆ ମିଡିଆ ପ୍ରତିବର୍ଷ ବହି ବିକ୍ରିରୁ କରୁଥିବା ଆୟର ଏକ ଅଂଶ ଲେଖକମାନଙ୍କୁ ରାଜଭାଗ ଆକାରରେ ପ୍ରଦାନ କରିଥାଏ। ଭଲ ବହି ପ୍ରକାଶନକୁ ସର୍ବଦା ଗୁରୁତ୍ବ ଦେଇ ଆସିଥିବା ଓଡ଼ିଆ ମିଡିଆ ଓଡ଼ିଶାର ଲେଖକଙ୍କଠାରୁ ଅଧିକ ପାଣ୍ଡୁଲିପି ଆଶାକରେ। କେବଳ ରାଜଭାଗ ପ୍ରଦାନ ନୁହେଁ, ପ୍ରକଳ୍ପ ବହି ଓ ଅନୁବାଦ କାମ ପାଇଁ ମଧ୍ୟ ଅନୁଷ୍ଠାନ ଅଗ୍ରିମ ପାରିଶ୍ରମିକ ପ୍ରଦାନ କରିଥାଏ ବୋଲି ସେ କହିଥିଲେ। ଏଯାବତ୍‌ ଓଡ଼ିଆ ମିଡିଆ ସହ ପ୍ରାୟ ୧୮୦ ଲେଖକ ଯୋଡ଼ି ହୋଇଥିବାବେଳେ ପ୍ରକାଶିତ ପୁସ୍ତକ ସଂଖ୍ୟା ୬୦୦ ଅତିକ୍ରମ କରିଛି ବୋଲି ସେ ସୂଚନା ଦେଇଥିଲେ।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ଓଡ଼ିଆ ମିଡିଆ ଦ୍ବାରା ପ୍ରକାଶିତ ୧୫୦ରୁ ଅଧିକ ଲେଖକ ଉପସ୍ଥିତ ଥିଲେ। ଏ ଅବସରରେ ଦେବଦତ୍ତ ପଟ୍ଟନାୟକ, ସୁନ୍ଦର ଗଣେଶନ, ଦାଶ ବେନହୁର, ଗୌରହରି ଦାସ, ତପନ କୁମାର ପଣ୍ଡା, ରକ୍ଷକ ନାୟକ, ଚନ୍ଦ୍ରଶେଖର ଦାଶ, ଅପର୍ଣ୍ଣା ମହାନ୍ତି, ଦେବଦାସ ଛୋଟରାୟ, ଅଜୟ ସ୍ବାଇଁ, ସଂଗ୍ରାମ ମହାପାତ୍ର, ପଣ୍ଡିତ ରାମାରାଓ ପାତ୍ର, ନାରାୟଣ ସାହୁ, ଭାସ୍କର ପରିଚ୍ଛା, ଓମ୍‌ ପ୍ରକାଶ ସିଂହ, ରତ୍ନମାଳା ସ୍ବାଇଁ, ନବଜ୍ୟୋତି ରାୟ, ଅଖିଳ କୁମାର ମିଶ୍ର, ବିରଜା ମହାପାତ୍ର, ସଂଯୁକ୍ତା ମହାପାତ୍ର, ହାଡ଼ିବନ୍ଧୁ ମହାଖୁଡ଼, ହରିହର ପଣ୍ଡା, ସତ୍ୟବ୍ରତ ରାଉତ, ରବିନାରାୟଣ ଦାଶ, ପଞ୍ଚାନନ ଦାଶ, ଅନୀଲ ଧୀର, ବଳରାମ ପୂଜାରୀ, ଭୁବନେଶ୍ବରୀ ପଣ୍ଡା, ରୁଦ୍ରପ୍ରସନ୍ନ ରଥ, ଜ୍ଞାନୀ ଦେବାଶିଷ ମିଶ୍ର, ବିଭୁ ହୋତା, ଭାରତ ଭୂଷଣ ରଥ, ନିଶାମଣି ଷଡ଼ଙ୍ଗୀ, ରଞ୍ଜନ ପ୍ରଧାନ, ଅଜିତ କୁମାର ମିଶ୍ର, ଅଜିତ ମହାନ୍ତି, ରଶ୍ମି ମିଶ୍ର, ସୁଷମା ଦାଶ, ଅକ୍ଷୟ କୁମାର ମିଶ୍ର, ପ୍ରକାଶ ପଟ୍ଟନାୟକ, ଅଙ୍କିତା ସାହୁ, ଅଳଙ୍କାର ଆଚାର୍ଯ୍ୟ, ସ୍ବରୂପ କୁମାର ନାୟକ ଓ ସୁବ୍ରତ କୁମାର ସେନାପତି ନିଜର ରାଜଭାଗ ଚେକ୍‌ ଆକାରରେ ଗ୍ରହଣ କରିଥିଲେ। ଉଦ୍‌ଘାଟନୀ ସମାରୋହ ପରେ ରାଜଭାଗ ପାଉଥିବା ଲେଖକମାନେ ନିଜର ବକ୍ତବ୍ୟ ରଖିଥିଲେ।

ଧନ୍ୟବାଦ ଅର୍ପଣ କରିବା ସହ ସଭା ପରିଚାଳନା କରିଥିଲେ କବି ପବିତ୍ର ମୋହନ କର।

2 Comments
  1. Tapan Kr Mishra says

    Well done. Wish you a prosperous journey.

  2. BALARAM PUJARI says

    ଧନ୍ୟବାଦ୍ ଓଡ଼ିଆ ଭାଷା ସାହିତ୍ୟର ଅଗ୍ରଗଣ୍ୟ ସାରସ୍ବତ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପଵ୍ଲିକେଶନ ଆଚାର୍ଯ୍ୟ ବିହାର ଭୁବନେଶ୍ଵର ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସମ୍ମାନନୀୟ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଶୁଭ୍ରାଂଶୁ ପଣ୍ଡା ମହୋଦୟ।ରାଜଭାଗ ସହ ରାଜଭୋଗ ସମ୍ମାନ ମୋ ମାଲକାନଗିରି ମାଟି କୁ ଅର୍ପଣ କରିଥିବାରୁ ଵହ୍ନିଭୂମିରୁ କୃତଜ୍ଞତା ଜ୍ଞାପନ କରୁଛି। ଧନ୍ୟବାଦ୍ ସାର୍ 🙏

Leave A Reply

Your email address will not be published.