ଓଡ଼ିଶା: ଅଂଶୁଘାତରେ ଗଲାଣି ୪୧ ଜୀବନ

ଓଏଲ୍ ବ୍ୟୁରୋ: ରାଜ୍ୟରେ ମୌସୁମୀ ବାୟୁ ପହଁଞ୍ଚି ସାରିଥଲେ ସୁଦ୍ଧା ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଛୁଇଁ ନଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି।
ଶ୍ରୀ ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ସେ ମଧ୍ୟରୁ ୪୧ ଜଣଙ୍କ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ଦେଇଛନ୍ତି ସେହି ଆଧାରରେ ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଜୁନ୍ ୩ ତାରିଖରୁ ଏପର୍ଯ୍ୟନ୍ତ ଆଉ ଅଂଶୁଘାତ ଜନିତ ଅଭିଯୋଗ ଆସିନାହିଁ ବୋଲି ଏସ୍ଆରସି କହିଛନ୍ତି।
ଅପରପକ୍ଷେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ତାତି ଆହୁରି ତିନି ଚାରି ଦିନ କଲବଲ କରିବ। ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ। ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।