ଆଉ ସନ୍ଦେହ କରନ୍ତୁନି, ଏବେ ମିଶନ ଶକ୍ତି ଦୌଡ଼ିବ: ପ୍ରଭାତୀ ପରିଡ଼ା
ଓଏଲ୍ ବ୍ୟୁରୋ: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ରାଜ୍ୟରେ ସରକାର ଗଢ଼ିଛି। ୫ଟି ଏବଂ ମୋ’ ସରକାରକୁ ହଟାଇ ଦିଆଯାଇଥିବା ବେଳେ ଏବେ ମିଶନ ଶକ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା ମିଶନ ଶକ୍ତି ବିଭାଗର ଅଧିକାରୀଙ୍କ ସହିତ ବୈଠକ କରିଥିଲେ।
ବୈଠକ ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ମୁଁ ଏବେ ମିଶନ ଶକ୍ତି ବିଭାଗର ଦାୟିତ୍ୱ ନେଇଛି। ତେଣୁ ଏହି ବିଭାଗ ଚାଲିବ କି ନାହିଁ ସେ ବାବଦରେ ସନ୍ଦେହ କରିବା ଉଚିତ ନୁହେଁ। ବରଂ ଏହି ବିଭାଗ ଏବେ ଦୌଡିବ। ମିଶନ ଶକ୍ତି ଏକ ସମୂହ। ଯେଉଁଠି ବିଶ୍ୱ, ଦେଶ, ରାଜ୍ୟ ଓ ଗାଁ ଗୁଡିକର ଅନୁଷ୍ଠାନ କାମ କରୁଛନ୍ତି। ସମସ୍ତଙ୍କ ଉଦ୍ୟମରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ। ଆମୋଦ ପ୍ରମୋଦ ବଦଳରେ ଓଡ଼ିଶାର ବିକାଶ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେ ଅହୁରି କହିଛନ୍ତି, ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ। ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ। ମିଶନ ଶକ୍ତି ଏକ ମାତ୍ର ବିଭାଗ ଯାହା ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।