Odisha Link
Bridging the Missing Links in Odisha

ବଡ଼ ଖବର: ସ୍କୁଲ ଖୋଲିବା ନିଷ୍ମତ୍ତି ନେବେ ଜିଲ୍ଲାପାଳ, ପାଣିପାଗ ଦେଖି ବିଚାର କରିବେ

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହେଉଛି ଖରା ଛୁଟି। ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଖୋଲିବ କି ନାଇଁ ଦ୍ବନ୍ଦ୍ବ ଲାଗି ରହିଥିଲା। ଏଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରବଳ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା। ପାଗକୁ ଦେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଯେଉଁଠି ପାଗ ଅନୁକୂଳ ଥିବ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ। ପାଣିପାଗ ବିଭାଗକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।

ଅନ୍ୟପଟେ ଗଣଶିକ୍ଷା ବିଭାଗର ବୈଠକ ପରେ ଗ୍ରୀଷ୍ମ ଛୁଟି ବଢ଼ାଇବା ଦାବି ଉପରେ ପ୍ରତିକ୍ରିୟା ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଖରା ଓ ଗୁଳଗୁଳିକୁ ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି, ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।

ଅନ୍ୟପଟେ ଆସନ୍ତାକାଲି ସ୍କୁଲ୍ ନଖୋଲି ଆଉ ତିନି-ଚାରି ଦିନ ଘୁଞ୍ଚାଇ ଦେବା ପାଇଁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା। ସାରା ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା।

Leave A Reply

Your email address will not be published.