Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଋକ୍ମିଣୀହରଣ ଏକାଦଶୀ, ଆଜି ୩ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଋକ୍ମିଣୀ ହରଣ ଏକାଦଶୀ। ଆଜି ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି। ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ବେଶ କରାଯାଇଥାଏ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ମସସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ମହାପ୍ରଭୁଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଥାଏ। ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ ନିମନ୍ତେ ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ବନ୍ଦ ରହିବ ଦର୍ଶନ। ଆପାତତଃ ୨ଟାରୁ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀଦେବୀଭ୍କୁ ପ୍ରଦାନ କରିବେ। ଏହାପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି। ପରେ ବିମାନବଡ଼ୁମାନେ ପାଲିଭ୍କିକୁ ମହାଲକ୍ଷ୍ମୀ ମନ୍ଦିର ନିକଟକୁ ନେଇ ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀଙ୍କୁ ପଞ୍ଚାମୃତରେ ମହାସ୍ନାନ ହୋଇ ମାର୍ଜଣା, ବନକଲାଗି ଓ ଅଳଙ୍କାର ଲାଗି ହୋଇଥାନ୍ତି। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି।

ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ସ୍ପର୍ଶ କରାଇ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ଜନୈକ ସେବକ ଚିଟାଉ ନେଇ ଘଣ୍ଟ ଛତା, କାହାଳୀ ସହ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ପ୍ରଥା ଅନୁଯାୟୀ ଅନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ।

ପରେ ରତ୍ନସିଂହାସନ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି, ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ। ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ।

Leave A Reply

Your email address will not be published.