ତହସିଲ କାର୍ଯ୍ୟାଳୟରେ ଚଳିବନି ପିସି କାରବାର, ଏଭଳି କାହିଁକି କହିଲେ ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ମୋହନ ସରକାରକୁ ପୁରିଲା ଏକ ସପ୍ତାହ। ଏହି ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଆଜି ବିଧାନସଭାରେ ନୂତନ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ କର୍ମଚାରୀଙ୍କୁ ତାଗିଦ କରିଛନ୍ତି।
ଆଜି ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି,ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ହୋଇ ଯାଆନ୍ତୁ ସାବଧାନ। ପ୍ରମାଣ ମିଳିଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୁରୁଣା ଦୁର୍ନୀତିର ମଧ୍ୟ ପ୍ରମାଣ ମିଳିଲେ ଆକ୍ସନ ନିଆଯିବ ବୋଲି ତାଗିଦ କରିଛନ୍ତି ଶ୍ରୀ ପୂଜାରୀ।
ରାଜସ୍ୱ ମନ୍ତ୍ରୀ ଆଜି ଅଚାନକ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ସାଧାରଣ ଲୋକ, ଓକିଲ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତହସିଲରେ କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି , ଅଭିଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ ମନ୍ତ୍ରୀ। ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପୂଜାରୀ।