ଆଜି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା, ଉପକୃତ ହେବେ ୧୧ କୋଟିରୁ ଉର୍ଦ୍ଧ୍ୱ ଚାଷୀ
ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଦାୟିତ୍ବ ନେଇଥିବା ବେଳେ ତାଙ୍କ ପ୍ରଥମ ହସ୍ତାକ୍ଷର କୃଷକଙ୍କ ପାଇଁ କରିଥିଲେ। ୧୭ତମ କିସ୍ତି ଉପରେ ମୋହର ମାରି ଆଜି ତାକୁ ପ୍ରଦାନ କରୁଛନ୍ତି। ଫେବୃଆରୀ ୨୪ ତାରିଖ ୨୦୨୪ରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୩ ଲକ୍ଷ କୋଟିରୁ ଅଧିକ ରାଶି ପ୍ରଦାନ ହୋଇଥିବା କେନ୍ଦ୍ର କୃଷି କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି।
ପିଏମ୍ କିଷାନ ଉତ୍ସବ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ସାମିଲ ହେବେ। ବରଗଡ଼ରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପୁରୀରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିପରି କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହିବେ।
ସୂଚନା ଅନୁସାରେ, ପିଏମ୍ କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଏହା ହେଉଛି ଯୋଜନାର ୧୭ତମ କିସ୍ତି। ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀ ମୋଦି ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ। ପିଏମ୍ କିଷାନ ସମ୍ମାନ ନିଧି ପୋର୍ଟାଲରେ ଓଡ଼ିଶାରେ ୨୭ଲକ୍ଷରୁ ଅଧିକ ହିତାଧିକାରୀ ରହିଥିବା ଦର୍ଶାଯାଇଛି।