Odisha Link
Bridging the Missing Links in Odisha

ଡିପଥେରିଆକୁ ନେଇ ବଢୁଛି ଚିନ୍ତା, ରାୟଗଡ଼ାରେ ଦିଆଗଲା ବୁଷ୍ଟର ଡୋଜ

ଓଏଲ୍‌ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭୁବନେଶ୍ବର ଆରଏମଆରସି। ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁନୁଷପଦର ଆସି ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ବଡ଼ ପଦକ୍ଷେପ ନେଇଛି। ରାୟଗଡ଼ା କାଶୀପୁରରେ ଆଜିଠୁ ବୁଷ୍ଟର ଡୋଜ ଦିଆଯାଇଛି। ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯାଉଛି। ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି।

ଡିପଥେରିଆ କ’ଣ ?

ଡିପ୍‌ଥେରିଆ ହେଉଛି ଜୀବାଣୁଜନିତ ରୋଗ। ଏହି ଜୀବାଣୁ ଶ୍ଵାସନଳୀରେ ପ୍ରବେଶ କରି ସଂକ୍ରମଣ କରିଥାଏ। ଗଳା, ନାକ ଓ ଫୁସ୍‌ଫୁସ୍ ପର୍ଯ୍ୟନ୍ତ ସଂକ୍ରମିତ କରିଥାଏ।ଜୀବାଣୁମାନେ ଏହି ସ୍ଥାନଗୁଡ଼ିକରେ ଏକ ଧଳା ଆକାରର ଏକ ପରଦା ସୃଷ୍ଟି କରିଥାନ୍ତି। ଯାହା ଫଳରେ ରୋଗୀ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥାଏ। ଏଥିସହ ବେକ ଫୁଲିବା ସହ ଦୀର୍ଘ ଦିନ ଧରି ଜ୍ଵର ଶରୀରରେ ରହିଥାଏ। ସାଧାରଣତଃ ନାକରେ ସଂକ୍ରମଣ ହେଲେ ସ୍ବଳ୍ପ ବିପଦ ଥାଏ। କିନ୍ତୁ ଯଦି ଗଳା ବା ଶ୍ଵାସନଳୀରେ ସଂକ୍ରମଣ ହେଲା, ରୋଗୀଙ୍କ ପାଇଁ ଅଧିକ ବିପଦ ବଢିବାର ସମ୍ଭାବନା ରହିଥାଏ। ଏହା ରୋଗୀଙ୍କ ହାର୍ଟକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ। ତେଣୁ ଏହି ରୋଗରେ ପିଲାଙ୍କ ବଞ୍ଚିବା ସମ୍ଭାବନା କମ ରହିଥାଏ।

Leave A Reply

Your email address will not be published.