ମୁକୁଳା ଡ୍ରେନ୍ ନେଲା ଜୀବନ, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
![](https://www.odishalink.com/wp-content/uploads/2024/06/Minor-Boy-death-750x430.jpg)
ଓଏଲ୍ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ସନ୍ଧ୍ୟା ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ।
ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏଥିସହ ସପ୍ତାହେ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମୃତ ୧୦ ବର୍ଷିୟ ଆବୁ ବକର ସାହଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର ଏସ୍କେ ରାଜେଶ୍ ଓ ତାଙ୍କ ସାଥୀମାନେ ଡ୍ରେନ୍ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍ରେ ବେଲୁନ୍ ଭାସି ଭାସି ଯାଉଥିଲା। ସେହି ବେଲ୍ନକୁ ଆଣିବା ପାଇଁ ଏସ୍କେ ରାଜେଶ୍ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍ ଭିତରକୁ ଯାଇଥିଲା। ବେଲୁନ୍ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍କେ ରାଜେଶ।
ପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଡ୍ରେନ୍ର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ।