ନାଳନ୍ଦା ବିଶ୍ବବିଦ୍ୟାଳୟ: ୧୬୦୦ ବର୍ଷର କାହାଣୀ
![](https://www.odishalink.com/wp-content/uploads/2024/06/Nalanda-University-750x430.jpg)
ଓଏଲ୍ ବ୍ୟୁରୋ: ବିହାରର ରାଜଗିରରେ ଥିବା ନାଳନ୍ଦା ବିଶ୍ବବିଦ୍ୟାଳୟର ନୂତନ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭବ୍ୟ ସମାରୋହରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ୧୭ଟି ଦେଶର ରାଜଦୂତ ମଧ୍ୟ ସାମିଲ ହୋଇଥିଲେ। ବିଶ୍ବବିଦ୍ୟାଳୟର ନୂତନ ସରିସର ନାଳନ୍ଦାର ପ୍ରାଚୀନ ଧ୍ବଂସାବଶେଷର ନିକଟରେ ନିର୍ମିତ ହୋଇଛି। ଏକଦା ବିହାରର ନାଳନ୍ଦା ବିଶ୍ବର ସବୁଠୁ ବଡ଼ ଶିକ୍ଷା କେନ୍ଦ୍ର ଥିଲା। ଏବେ ୮୧୫ ବର୍ଷର ଦୀର୍ଘ ସମୟ ପରେ ପୁଣିଥରେ ତାର ପୂର୍ବ ଗୌରବ ଫେରି ପାଇଛି ନାଳନ୍ଦା ବିଶ୍ବବିଦ୍ୟାଳୟ।
ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ସ୍ବପ୍ନର ନାଳନ୍ଦା ବିଶ୍ବବିଦ୍ୟାଳୟ ଏବେ ସାକାର ରୂପ ନେଉଛି। ନାଳନ୍ଦା ବିଶ୍ବବିଦ୍ୟାଳୟର ଇତିହାସ, ଶିକ୍ଷା ପ୍ରତି ଭାରତୀୟ ଦୃଷ୍ଟିକୋଣ ଏବଂ ସମୃଦ୍ଧିକୁ ପ୍ରତିଫଳିତ କରେ। ଏହାର ମହତ୍ତ୍ବ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ବ ପାଇଁ ଅମୂଲ୍ୟ ଅଟେ। ନାଳନ୍ଦା ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତର ଏକ ପ୍ରମୁଖ ଐତିହାସିକ ଶିକ୍ଷା କେନ୍ଦ୍ର ଥିଲା।
ନାଳନ୍ଦା ବିଶ୍ବବିଦ୍ୟାଳୟ ସ୍ଥାପନା ଚତୁର୍ଥ ଶତାବ୍ଦୀରେ ହୋଇଥିଲା। ଏହାର ସ୍ଥାପନା ଗୁପ୍ତ ସମ୍ରାଟ କୁମାରଗୁପ୍ତ ପ୍ରଥମ କରିଥିଲେ। ପରେ ଏହାକୁ ହର୍ଷବର୍ଦ୍ଧନ ଓ ପାଳ ଶାସକ ମାନେ ସଂରକ୍ଷଣ କରିଥିଲେ। ଏହି ବିଶ୍ବବିଦ୍ୟାଳୟରେ ୩୦୦ଟି କଠୋରୀ, ୭ଟି ବଡ଼ ଘର ଓ ପଢ଼ାପଢ଼ି ପାଇଁ ୯ ମହଲା ଏକ ବିଶାଳ ପୁସ୍ତକାଳୟ ଥିଲା। ଯେଉଁଥିରେ ୩ ଲକ୍ଷରୁ ଅଧିକ ବହି ଥିଲା। ଏଥିରୁ ଆପଣ ଅନୁମାନ କରିପାରୁଥିବା ଏହି ବିଶ୍ବବିଦ୍ୟାଳୟର ମହାନତା କେତେ ଥିଲା।
ପୂର୍ରବୁ ସମୟ ଏପରି ଥିଲା ଯେ ନାଳନ୍ଦା ବିଶ୍ବବିଦ୍ୟାଳୟରେ ୧୦ ହଜାରରୁ ଅଧିକ ପିଲା ପାଠପଢ଼ୁଥିବା ବେଳେ ପାଖାପାଖୀ ୩ହଜାର ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ପାଠ ପଢ଼ାଉଥିଲେ। ଛାତ୍ରଙ୍କ ଚୟନ ସେମାନଙ୍କର ଯୋଗ୍ୟତ ଓ ଶିକ୍ଷା ଆଧାରରେ ହେଉଥିଲା। ସେମାନଙ୍କ ଖାଇବା, ରହିବା ଓ ପାଠପଢ଼ା ଖର୍ଚ୍ଚ ଦେବାକୁ ପଡ଼ୁନଥିଲା। ସବୁ ମାଗଣାରେ ମିଳୁଥିଲା। ଏହି ବିଶ୍ବବିଦ୍ୟାଳୟରେ କେବଳ ଭାରତରୁ ନୁହେଁ ବରଂ କୋରିଆ, ଜାପାନ, ଚୀନ, ତିବ୍ଦତ, ଇଣ୍ଡୋନେସିଆ, ଇରାନ, ଗ୍ରୀସ୍, ମଙ୍ଗୋଲିଆ ଆଦି ଦେଶରୁ ଛାତ୍ର ମାନେ ଆସି ପାଠ ପଢ଼ୁଥିଲେ।
ନାଳନ୍ଦା ବିଶ୍ବବିଦ୍ୟାଳୟରେ ଅନେକ ବିଷୟରେ ଶିକ୍ଷା ଦିଆଯାଉଥିଲା। ସାହିତ୍ୟ, ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଭେଷଜ, ତର୍କଶାସ୍ତ୍ର, ସାଂଖ୍ୟ, ଯୋଗଶାସ୍ତ୍ର, ବେଦ ଏବଂ ବୌଦ୍ଧଶାସ୍ତ୍ର, ବୈଦେଶୀ ଦର୍ଶନ, ମନୋବିଜ୍ଞାନ, ଆଇନ୍, ଜ୍ୟୋତିର୍ବିଜ୍ଞା, ଯୁଦ୍ଧ, ଇତିହାସ, ଗଣିତ, ସ୍ଥାପତ୍ୟ, ବାସ୍ତୁକଳା, ଭାଷା ବିଜ୍ଞାନ, ଅର୍ଥଶାସ୍ତ୍ର,ଚିକିତ୍ସା ଶାସ୍ତ୍ର ଆଦି ବିଷୟ ଗୁଡ଼ିକର ଶିକ୍ଷା ପ୍ରଦାନ କରାଯାଉଥିଲା। ଏହି ବିଶ୍ବବିଦ୍ୟାଳୟରେ “ଧର୍ମ ଗୁଞ୍ଜ” ନାମକ ଏକ ପାଠାଗାର ଥିଲା ଯାହାର ଅର୍ଥ ଥିଲା “ସତ୍ୟର ପର୍ବତ”। ଏହହି ପାଠାଗାର ୯ ମହଲା ବିଶିଷ୍ଟ ଥିଲା। ଆଉ ତାକୁ ୩ଟି ଭାଗରେ ବିଭକ୍ତ କରାଯାଇଥିଲା। ଯାହାର ନାମ ଥିଲା ରତ୍ନ ରଞ୍ଜନ, ରତ୍ନୋଦଧି, ରତ୍ନସାଗର।
ନାଳନ୍ଦା ବିଶ୍ବବିଦ୍ୟାଳୟ ଧ୍ବଂସ କିଏ କରିଥିଲା?
ମହମ୍ମଦ ବଖତିଆର ଖିଲଜୀ ୧୯୧୩ ମସିହାରେ ନାଳନ୍ଦା ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ କରି ଧ୍ବଂସ କରିଦେଇଥିଲେ। ବିଶ୍ବବିଦ୍ୟାଳୟ ପରିସର ଓ ବିଶେଷ ଭାବେ ପାଠାଗାରରେ ନିଆଁ ଲଗାଇ ଦିଆଯାଇଥିଲା। ଯାହାଫଳରେ ସପ୍ତାହ ସପ୍ତାହ ଧରି ବହି ଜଳିଥିଲା। ଯାହା ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା।
ଏହି ନାଳନ୍ଦା ବିଶ୍ବବିଦ୍ୟାଳୟରେ ହର୍ଷବର୍ଦ୍ଧନ, ଧର୍ମପାଳ, ବସୁବନ୍ଧୁ, ଧର୍ମକିର୍ତ୍ତୀ, ନାଗାର୍ଜୁନଙ୍କ ଭଳି ମହାନ ବିଦ୍ବାନ ଶିକ୍ଷା ଲାଭ କରିଥିଲେ। ସବୁଠୁ ବଡ଼କଥା ହେଲା ଖନନ ସମୟରେ ନାଳଦା ବିଶ୍ବିବଦ୍ୟାଳୟର ଅବଶିଷ୍ଠାଂଶ ୧.୫ ଲକ୍ଷ ବର୍ଗ ଫୁଟ ମିଳିଛି। ଯାହା ବିଶାଳ ଓ ବିସ୍ତୃତ ପରିସରର ମାତ୍ର ୧୦ ପ୍ରତିଶତ ବୋଲି ବିବେଚନା କରାଯାଏ।
ନାଳନ୍ଦା ବିଶ୍ବବିଦ୍ୟାଳୟରେ ଭାରତ ବ୍ୟତୀତ ୧୭ ଦେଶର ଭାଗିଦାରୀ:
୨୦୧୦ ମସିହା ନଭେମ୍ବର ୨୫ ତାରିଖରେ ବିହାରର ରାଜଗୀରରେ ପୁଣିଥରେ ନାଳନ୍ଦା ବିଶ୍ବବିଦ୍ୟାଳୟ ସ୍ଥାପନା କରାଯାଇଥିଲା। ଏହି ବିଶ୍ବବିଦ୍ୟାଳୟର ସ୍ଥାପନା ନାଳନ୍ଦା ବିଶ୍ବବିଦ୍ୟାଳୟ ଅଧିନିୟକ ୨୦୧୦ର ଆଧାରରେ ହୋଇଥିଲା। ନୂଆ ବିଶ୍ବବିଦ୍ୟାଳୟରେ ୨୦୧୪ ମସିହାରେ ୧୪ ଛାତ୍ରଙ୍କୁ ନେଇ ଏକ ଅସ୍ଥାୟୀ ସ୍ଥାନରେ କାମ ଆରମ୍ଭ କରାଯାଇଥିଲା। ବିଶ୍ବବିଦ୍ୟାଳୟର ନିର୍ମାଣ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଭାରତ ବ୍ୟତୀତ ଏହି ବିଶ୍ବବିଦ୍ୟାଳୟର ନିର୍ମାଣରେ ୧୭ଟି ଦେଶର ଭାଗିଦାରୀ ରହିଛି। ଏହି ସବୁ ଦେଶ ବିଶ୍ବବିଦ୍ୟାଳୟର ସମର୍ଥନରେ ଚୁକ୍ତି ମଧ୍ୟ ସାକ୍ଷର କରିଛନ୍ତି। ବିଶ୍ବବିଦ୍ୟାଳୟର ୧୩୭ ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି।
ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ୬ଟି ଅଧ୍ୟୟନ କେନ୍ଦ୍ର ରହିଛି। ଯେଉଁଥିରେ ବୌଦ୍ଧ ଅଧ୍ୟୟନ, ଦର୍ଶନ ଓ ତୁଳନାତ୍ମକ ଧର୍ମ ସ୍କୁଲ, ଐତିହାସିକ ଅଧ୍ୟୟନ ସ୍କୁଲ, ପରିବେଶ ଅଧ୍ୟୟନ ସ୍କୁଲ ଏବଂ ପ୍ରବନ୍ଧନ ସ୍କୁଲ ସାମିଲ ରହିଛି।