Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ ଗଣିତ: ଟପ୍‌-୧୦ରେ ନାହାନ୍ତି ଟିମ୍‌ ଇଣ୍ଡିଆର ଖେଳାଳି

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଟି-୨୦ ବିଶ୍ବକପ୍‌ ୨୦୨୪। ଶେଷ ହୋଇଛି ଗ୍ରୁପ୍‌ ଷ୍ଟେଜ ମୁକାବିଲା। ଆଜଠୁ ଆରମ୍ଭ ହେବ ସୁପର-୮ ମୁକାବିଲା। ଯେଉଁଥିରେ ୮ଟି ଟିମ୍‌ ଫାଇନାଲ ଟ୍ରଫି ପାଇଁ ଲଢ଼େଇ କରିବେ। ଆଜିଠୁ ସୁପର-୮ ମୁକାବିଲା ଆରମ୍ଭ ହୋଇ ଜୁନ୍‌ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଯେଉଁ ୪ଟି ଟିମ୍‌ ଭଲ ପ୍ରଦର୍ଶନ କରିବେ ସେହି ଟିମ୍‌ ସେମିଫାଇନାଲ ମୁକାବିଲା ଖେଳିବେ।

ସବୁଠୁ ବଡ଼କଥା ହେଲା ଚଳିତ ଟି-୨୦ ବିଶ୍ବକପ୍‌ରେ ଜଣେ ଭାରତୀୟ ଖେଳାଳି ଟପ୍‌-୧୦ ବ୍ୟାଟସମ୍ୟାନ୍‌ ଓ ବୋଲର ତାଲିକାରେ ନାହାନ୍ତି। ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ୧୬ଜଣ ଖେଳାଳି ୫ କିମ୍ବା ତାଠୁ ଅଧିକ ଛକା ମାରିଛନ୍ତି। ଯେଉଁଥିରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ହିଁ ସର୍ବାଧିକ ୪ଟି ଛକା ବିଶ୍ବକପ୍‌ରେ ମାରିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଆଫ୍ରିଦି ବି ୪ଟି ଛକା ମାରିଛି।

ବର୍ତ୍ତମାନ ବିଶ୍ବକପ୍‌ରେ ୪୦ଟି ମ୍ୟାଚ୍‌ ଖେଳ ଶେଷ ହୋସାରିଛି। ସେମଧ୍ୟରୁ ୧୨ଟି ମ୍ୟାଚରେ ୧୦୦ରୁ କମ୍‌ ସ୍କୋର ହୋଇଛି। ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ୩ଟି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଛି।

ଟପ୍‌-୧୦ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ନାହାନ୍ତି ଭାରତୀୟ:

ଏପର୍ଯ୍ୟନ୍ତ ବିଶ୍ବକପ୍‌ରେ ୧୬ ଜଣ ଖେଳାଳି ୧୦୦ରୁ ଅଧିକ ରନ୍‌ ସ୍କୋର କରିଛନ୍ତି। ହେଲେ ସେ ମଦ୍ୟରେ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି। ଋଷଭ ପନ୍ତ ୯୬ ରନ୍‌ କରି ଟିମ୍‌ ଇଣ୍ଡିଆର ଟପ୍‌ ସ୍କୋରର ଅଛନ୍ତି। ବିଶ୍ବକପ୍‌ରୁ ବାଦ ପଡ଼ିଥିବା ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ ୧୨୨, ମହମ୍ମଦ ରିଜଓ୍ବାନ ୧୧୦ ରନ୍‌ ସ୍କୋର କରିଥିଲେ। ଆଫଗାନିସ୍ତାନର ରହମନୁଲ୍ଲାହ ଗୁରବାଜ ୧୬୭ ରନ୍‌ କରି ବିଶ୍ବକପ୍‌ର ଟପ୍‌ ସ୍କୋର ରହିଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ନିକୋଲସ ପୁରନ (୧୬୪), ତୃତୀୟରେ ମାର୍କସ୍‌ ଷ୍ଟୋନିସ୍‌ (୧୫୬), ୪ର୍ଥରେ ଇବ୍ରାହିମ ଜାଦରାନ (୧୫୨) ଓ ୫ମ ସ୍ଥାନରେ ଟ୍ରାଭିସ୍‌ ହେଡ (୧୪୮) ରନ୍‌ ସ୍କୋର କରିଛନ୍ତି।

ବିଶ୍ବକପ୍‌ରେ ଶତକ ମରୁଡ଼ି:

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପ୍‌ରେ ଗୋଟିଏ ଶତକୀୟ ଇନିଂସ କୌଣସି ବି ଖେଳାଳି ଖେଳି ନାହାନ୍ତି। ୨୬ଟି ଅର୍ଦ୍ଧଶତକ ହୋଇଥିବା ବେଳେ ଗୋଟିଏ ବି ଶତକ ଦେଖିବାକୁ ମିଳିନି ଚଳିତ ବିଶ୍ବକପ୍‌ରେ। ଭାରତର ସୂର୍ଯ୍ୟକୁମାର ଯାଦବ ୫୦ ଓ ରୋହିତ ଶର୍ମା ୫୨ ରନ୍‌ ସ୍କୋର କରିଥିବା ବେଳେ ଆଉ କୌଣସି ଖେଳାଳି ଅର୍ଦ୍ଧଶତକ ସ୍କୋର କରି ନାହାନ୍ତି। ଓ୍ବେଷ୍ଟଇଣ୍ଡିଜର ନିକୋଲାସ ପୁରାନ ସର୍ବାଧିକ ୯୮ ରନ୍‌ କରିଥିବା ବେଳେ ଆମେରିକାର ଏରେନ ଜୋନ୍ସ ୯୪ ରନ୍‌ ସ୍କୋର କରିଛନ୍ତି।

ଟପ୍‌-୧୦ ବୋଲର ତାଲିକାରେ ନାହାନ୍ତି ଭାରତୀୟ:

ଗ୍ରୁପ୍‌ ଷ୍ଟେଜରେ ୮ ଜଣ ଖେଳାଳି ୮ରୁ ଅଧିକ ଓ୍ବିକେଟ ନେଇଛନ୍ତି। ସେମଧ୍ୟରୁ ଜଣେ ବି ଭାରତୀୟ ଖେଳାଳି ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହ ୭ଟି ଲେଖାଏଁ ଓ୍ବିକେଟ ନେଇ ଟିମ୍‌ ଇଣ୍ଡିଆର ଟପ୍‌ ବୋଲର ହୋଇଛନ୍ତି। ଆଫଗାନିସ୍ତାନର ଫଜଲହକ ଫାରୁକି ସବୁଠାରୁ ଅଧିକ ୧୨ଟି ଓ୍ବିକେଟ ନେଇଛନ୍ତି। ତାଙ୍କ ପଛକୁ ଟ୍ରେଣ୍ଟ ବୋଲ୍ଟ ରହିଥିବା ବେଳେ ସେ ୯ଟି ଓ୍ବିକେଟ ନେଇଛନ୍ତି। ସେହିପରି ତୃତୀୟରେ ଅକିଲ ହୁସେନ (୯), ୪ର୍ଥରେ ଏନରିକି ନର୍ଟିଆ (୯) ଓ ୫ମ ସ୍ଥାନରେ ତଞ୍ଜିମହସନ ସାକିବ ୯ଓ୍ବିକେଟ ନେଇଛନ୍ତି।

Leave A Reply

Your email address will not be published.