Odisha Link
Bridging the Missing Links in Odisha

ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି: ଓଡ଼ିଶାବାସୀଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ଆସୁଛି ରାଜ୍ୟ ବଜେଟ୍। ତା ପୂର୍ବରୁ ଓଡ଼ିଶାବାସୀଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ। ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୦୨୫ ପାଇଁ ମତ ଲୋଡ଼ିଲେ ମୋହନ ସରକାର। ୱେବ୍ ସାଇଟ୍, ଇମେଲ୍, ହ୍ୱାର୍ଟସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ମତାମତ ଓ ପରାଶର୍ମ ଦେଇପାରିବେ ଜନତା। ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ ଆସନ୍ତାକାଲି ଅର୍ଥାତ ଜୁନ୍ ୨୦ରୁ ଜୁଲାଇ ୫ ଯାଏଁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

ରାଜ୍ୟବାସୀଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ। ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି। ୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି। ୱେବ୍ ପୋର୍ଟାଲ ହେଉଛି http://budget.odisha.gov.in। ସେହିପରି [email protected] ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ। ଏହାବ୍ୟତୀତ 94381-61111 ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ। କେବଳ ଏତିକି ନୁହେଁ, ଫେସବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତ ପଠାଇପାରିବେ।

Leave A Reply

Your email address will not be published.