କିଏ ଧରିବେ କଂଗ୍ରେସର ମଙ୍ଗ? ଏଯାଏଁ ଚୟନ କରାଯାଇନି କଂଗ୍ରେସର ବିଧାୟକ ଦଳ ନେତା
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ସେହିଭଳି ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଏସବୁ ଭିତରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବେ ତାକୁ ନେଇ ଏବେ ସସପେନ୍ସ ଲାଗିରହିଛି। ଗତକାଲି ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାଁ ଏଆଇସିସି ନିକଟକୁ ପଠାଯାଇଛି। ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି। ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି। ତେବେ କଂଗ୍ରେସର ବିଧାୟକ ଦଳ ନେତା ଭାବେ କାହାକୁ ଚୟନ କରାଯିବ ତାହା ଏବେ ବି ଅସ୍ପଷ୍ଟ ରହିଛି।