Odisha Link
Bridging the Missing Links in Odisha

ଦ୍ୱନ୍ଦ୍ୱରେ ରତ୍ନଭଣ୍ଡାର ପ୍ରସଙ୍ଗ: କେବେ ଖୋଲିବ, ଏବେବି ଅନିଶ୍ଚିତତା

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଏସବୁ ଭିତରେ ମୁଣ୍ଡ ଟେକିଛି ରତ୍ନଭଣ୍ଡାର ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଆଗ୍ରହ ଦେଖାଇଛନ୍ତି।

ଗତକାଲି ଏଏସ୍‌ଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆସନ୍ତା ଜୁଲାଇ ୮ ତାରିଖରେ ପୂର୍ବ ଘୋଷଣା ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇପାରେ। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବାରୁ ସେତେବେଳେ ଏହି କାର୍ଯ୍ୟ କରିବା ସହଜ ହେବ। କେବଳ ରତ୍ନଭଣ୍ଡାରର ଚାବି ଖୋଲାଯିବ ନାହିଁ, ଏହାର ଆବଶ୍ୟକୀୟ ସୁରକ୍ଷା ଓ ମରାମତି କାର୍ଯ୍ୟ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ସମୟରେ କରିବ। ତେବେ ସରକାରଙ୍କ ପକ୍ଷରୁ ପରେ ସ୍ପଷ୍ଟ କରି ଦିଆଯାଇଛି ଯେ ରତ୍ନଭଣ୍ଡାର ଚାବି ଖୋଲିବା ନିର୍ଦ୍ଦିଷ୍ଟ ତାରିଖ ବିଷୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆ ଯାଇନାହିଁ।

ଅନ୍ୟପଟେ, ରାଜ୍ୟ ସରକାର ହାଇକୋର୍ଟକୁ ଜଣାଇଛନ୍ତି ଯେ ଏ ସମ୍ପର୍କିତ ଜଷ୍ଟିସ୍‌ ରଘୁବୀର ଦାସ ଯାଞ୍ଚ କମିଶନ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବ ଏବଂ ଆସନ୍ତା କ୍ୟାବିନେଟ୍ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାପରେ ଏ ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ। ତେବେ ରତ୍ନଭଣ୍ଡାର ଖୋଲିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ବର୍ତ୍ତମାନ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.