Odisha Link
Bridging the Missing Links in Odisha

ୟୁଜିସି ନେଟ୍ ପରୀକ୍ଷାରେ ତ୍ରୁଟି: ଖୁବଶୀଘ୍ର ଘୋଷଣା ହେବ ନୂଆ ପରୀକ୍ଷା ସୂଚୀ

ଓଏଲ୍‌ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ଅସନ୍ତୋଷ। କାରଣ ଗତ ୧୮ ତାରିଖରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ହୋଇଥିବା ନେଟ୍‌ ପରୀକ୍ଷାକୁ ଶିକ୍ଷା ମନ୍ତ୍ରାଳୟ ବାତିଲ୍‌ କରିଦେଇଛି। ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପରୀକ୍ଷାକୁ ବାତିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷାବିତ ଏହି ଘଟଣା ପରେ ଏନଟିଏ ସହ ଶିକ୍ଷା ବିଭାଗକୁ ଦୋଷ ଦେଇଛନ୍ତି।

ଅନ୍ୟପଟେ, ୟୁଜିସି ନେଟ୍ ପରୀକ୍ଷା ତ୍ରୁଟି ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍‌ରେ ମନ୍ତ୍ରାଳୟ ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ବାଲ କହିଛନ୍ତି, ତ୍ରୁଟି ନେଇ କେହି ଅଭିଯୋଗ କରିବା ପୂର୍ବରୁ ଇନ୍‌ପୁଟ ମିଳିଥିଲା। ପ୍ରାଥମିକ ପ୍ରମାଣ ମିଳିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଖୁବ ଶୀଘ୍ର ନୂଆ ପରୀକ୍ଷା ସୂଚୀ ଘୋଷଣା ହେବ। ପରୀକ୍ଷା ତ୍ରୁଟିର ତଦନ୍ତ ପାଇଁ ସିବିଆଇକୁ ସୁପାରିସ୍‌ କରାଯାଇଛି।

ସୂଚନା ଅନୁଯାୟୀ, ୧୮ ତାରିଖରେ ଦେଶର ୩୧୭ଟି ସହରର ୧୨୦୫ଟି ପରୀକ୍ଷା କେନ୍ଦ୍ରରେ ନେଟ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ମୋଟ୍‌ ୯ ଲକ୍ଷ ୮ ହଜାର ୫୮୦ ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ବାତିଲ ପରେ ପୁଣିଥରେ କେବେ ପରୀକ୍ଷା ହେବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

Leave A Reply

Your email address will not be published.