ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଲାଗିଲା କଟକଣା
![](https://www.odishalink.com/wp-content/uploads/2024/06/PURI-3-750x430.jpg)
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ କଟକଣା ଜାରି ହୋଇଛି। ଆସନ୍ତାକାଲି କେବଳ ସିଂହଦ୍ବାର ଦେଇ ପଶିବେ ଶ୍ରଦ୍ଧାଳୁ। ସିଂହଦ୍ଵାରରେ ପଶି ଅନ୍ୟ ୩ଟି ଦ୍ବାରରେ ବାହାରିବେ। ବଡ଼ଦାଣ୍ଡ ବା ଶ୍ରୀମାର୍ଗ ବାଟ ଦେଇ ଘରକୁ ଯାଇପାରିବେ। ପହଣ୍ଡି ଦର୍ଶନ ପାଇଁ ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯିବେ।
ଶାସ୍ତ୍ରମତରେ ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ। ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା। ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି। ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା। ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି।
ଅନ୍ୟପଟେ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ଛାୟାପ୍ରଦ ସେଡ୍ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଛି ।