ଭାଇ ପାଖରୁ ଟଙ୍କା ନେବାକୁ ଅପହରଣ ନାଟକ, ଅଭିଯୁକ୍ତ ଉଗାଳିଲେ ସତ
![](https://www.odishalink.com/wp-content/uploads/2024/06/WhatsApp-Image-2024-06-21-at-3.21.34-PM-750x430.jpeg)
ଓଏଲ୍ ବ୍ୟୁରୋ: ଅପହରଣ ନା ନିଖୋଜ! ରାଜଧାନୀରୁ ମହିଳାଙ୍କ ଅପରହଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ଏ ଅପହରଣ ଅଭିଯୋଗର ବଡ଼ ଖୁଲାସା କରିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ରାଜଧାନୀ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଅପହରଣ କରିବା ପରେ କୋଟିଏ ଟଙ୍କା ମାଗୁଥିଲେ ଅପହରଣକାରୀ। ଏ ନେଇ ମହିଳାଙ୍କ ବାପା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।
ଖବର ଅନୁସାରେ, ସମ୍ପୃକ୍ତ ମହିଳା ଦୀର୍ଘଦିନ ହେଲା ବାପାଘରେ ରହିଆସୁଥିଲେ। ଗତକାଲି ବାଣୀବିହାର ନିକଟରେ ଥିବା ସତସଙ୍ଗ ବିହାରକୁ ସଂପୃକ୍ତ ମହିଳା ଆସିଥିଲେ। ତାପରଠୁ ଆଉ ଘରକୁ ଫେରିନଥିଲେ। ତେବେ ଏହା ଅପହରଣ ନୁହେଁ ବରଂ ସ୍ୱରଚିତ ନାଟକ। ବେଙ୍ଗାଲୁରୁରେ ଥିବା ଭାଇଙ୍କ ଠାରୁ ଟଙ୍କା ପାଇବା ପାଇଁ ମହିଳା ଏଭଳି ନାଟକ କରିଥିବା କହିଛି କମିଶନର ପୁଲିସ।
ପୁଲିସର କହିବା ଅନୁସାରେ, ଅପହୃତ ମହିଳା ସ୍ମୃତିରେଖା ପାଣି ଟଙ୍କା ପାଇଁ କିଛି ଲୋକଙ୍କ ସହ ଯୋଜନା କରି ନିଜକୁ ଅପହରଣ କରାଇବାର ନାଟକ କରିଥିଲେ। ପ୍ରଥମେ ଚାରିଛକ ଓ ସେଠାରୁ ନୟାଗଡ ଯାଇଥିଲେ। ମହିଳାଙ୍କ ବାପା ଏନେଇ ଚନ୍ଦକା ପୋଲିସରେ ଅଭିଯୋଗ କରିବା ପରେ ପୁଲିସ ଛାନବିନ୍ କରିଥିଲା। ଏହା ପରେ ନୟାଗଡରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସତ ସାମ୍ନାକୁ ଆସିଥିଲା। ମହିଳା ନିଜ ଭାଇଙ୍କ ଠାରୁ ଟଙ୍କା ପାଇବା ପାଇଁ ରାଜସ୍ଥାନର ପ୍ରଦୀପ ଓଲା ଓ ଦେବୀ ଲାଲ ନାମକ ବ୍ୟକ୍ତିଙ୍କ ସହ ମିଶି ଅପହରଣ ନାଟକ କରିଥିଲେ। ଧରାପଡିବା ପରେ ଅଭିଯୁକ୍ତ ସତ ଉଗାଳିଛନ୍ତି।