ଯୋଗ ବିଭାଗକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ତତ୍ପରତା, ଖୁବଶୀଘ୍ର ନିଆଯିବ ବଡ଼ ନିଷ୍ପତ୍ତି
![](https://www.odishalink.com/wp-content/uploads/2024/06/SURAJ.jpg)
ଓଏଲ୍ ବ୍ୟୁରୋ: ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି।
ଏଥର ଯୋଗ ଦିବସର ଥିମ୍ ରହିଛି ‘ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ। ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗ ବିଭାଗକୁ ନେଇ ତତ୍ପରତା ଦେଖାଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ପୁଣି ଚଳଚଞ୍ଚଳ ହେବ ଯୋଗ ବିଭାଗ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଛି। ଅନେକ ଦିନ ହେଲା ଯୋଗ ବିଭାଗ ବନ୍ଦ ପଡ଼ିଛି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ, ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଳିଙ୍ଗ ଷ୍ଡାଡିଅମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି। ଏଥର ଯୋଗ ଦିବସର ଥିମ୍ ରହିଛି ‘ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ଲାଗି କ୍ରୀଡ଼ା ଏବଂ ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।