Odisha Link
Bridging the Missing Links in Odisha

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା: ଜାଣନ୍ତୁ, କିଏ କେତେ ଗରା ପାଣିରେ କରିବେ ସ୍ନାନ?

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ଦୁର୍ଲଭ ଦେବସ୍ନାନ ପୂର୍ଣ୍ଣିମା। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସ୍ନାନ ପୂର୍ଣ୍ଣିମା ହେଇଥାଏ। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ମଧ୍ୟ। ଏହି ଅବସରରେ ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯିବ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ।

ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି। ଶ୍ରୀଜିଉମାନେ ସ୍ନାନ ବେଦୀରେ ଉପବିଷ୍ଟ ହୋଇ ସାରିଲେଣି। ଶ୍ରୀଜିଉଙ୍କୁ ଧାଡି ପହଣ୍ଡିରେ ଅଣାଯାଇଛି। ଆଉ କିଛି ସମୟ ପରେ ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ପୂର୍ବରୁ ସୁନାକୁଅ ବି ଶୋଧ ହୋଇ ସାରିଛି। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର।

ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିଛନ୍ତି ଜଗତରନାଥ ଶ୍ରୀଜଗନ୍ନାଥ। ଏହା ପରେ ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ।

Leave A Reply

Your email address will not be published.