Odisha Link
Bridging the Missing Links in Odisha

ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼, ଅଣସର ଘରେ ଶ୍ରୀଜିଉ

ଓଏଲ୍‌ ବ୍ୟୁରୋ: ଦିବ୍ୟସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ଶ୍ରୀଜିଉ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ଜଳରେ ସ୍ନାନ ପରେ ପ୍ରଭୁ ଜ୍ବରରେ ପଡ଼ିଛନ୍ତି। ଏବେ ଅଣସର ଗୃହରେ ପ୍ରଭୁଙ୍କ ଚାଲିଛି ଗୁପ୍ତ ସେବା। ଏଥିସହିତ ଆଜିଠୁ ପଟିଦିଅଁ ପୂଜା ପାଇଛନ୍ତି। ଅନ୍ୟପଟେ ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆରମ୍ଭ ହୋଇଛି।

ଶ୍ରୀଜିଉ ଅଣସର ଘରେ ଥିବାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଆଜିଠାରୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି। ବିଶ୍ୱାସ ରହିଛି ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେହି ଫଳ ପ୍ରାପ୍ତି ହୋଇଥାଏ। ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥ ପୀଠରେ ମଧ୍ୟ ଭୋଗ ହୁଏ।

ଆଜିଠୁ ସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ। ଏହି ସମୟରେ ସେମାନଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା ପାଇବେ। ଏଥିପାଇଁ ବିଳମ୍ବିତ ରାତିରେ ପଟ୍ଟି ଦିଅଁ ଓ ଅନ୍ୟ ଦେବାଦେବୀ– ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟ୍ଟି ଦିଅଁ ବି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି।

Leave A Reply

Your email address will not be published.