Odisha Link
Bridging the Missing Links in Odisha

ହୁ ହୁ ହୋଇ ବଢୁଛି ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ଜଣ୍ଡିସ୍ ଫେରିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୭୪ ରହିଥିଲା। ଗୁପ୍‌ଚୁପ୍, ଦହିବରା ଓ ଚୁସକି ଖାଇବା ଯୋଗୁଁ ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଛି ବୋଲି ପ୍ରାଥମିକ ଭାବେ ଚିହ୍ନଟ ହୋଇଛି।

ଅନ୍ୟପଟେ, ଡିପ୍‌ଥେରିଆ ଓ ଜଣ୍ଡିସ୍ ମୁକାବିଲା ନେଇ ବୈଠକ ହୋଇଛି। ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ। ବୈଠକରେ ଉପସ୍ଥିତ ଥିଲେ ସ୍ଵତନ୍ତ୍ର ସଚିବ ଓ ସ୍ଵାସ୍ଥ୍ୟ ନିର୍ଦେଶକ। ଆଭାସୀ ମାଧ୍ୟମରେ ଅନୁଗୁଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହେଉଥିବା ଏହି ବୈଠକରେ ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ।

ସୂଚନା ଅନୁସାରେ, ଗତ ୨୦୧୪ ମସିହା ପରି ଏଥର ମଧ୍ୟ ପିଏଚ୍‌ଡି ପାଣିକୁ ନେଇ ସଂଦେହ ସୃଷ୍ଟି ହୋଇଛି। ପ୍ରତିଦିନ ନମୂନା ସଂଗ୍ରହ ହେବା ସହ ନମୁନାର ପରୀକ୍ଷା ଚାଲିଥିବା ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ କହିଛନ୍ତି। ରିପୋର୍ଟ ଆସିବା ପରେ ସେହି ଅଂଚଳରେ ପ୍ରଶାସନ ପକ୍ଷରୁ ସଚେତନତାକୁ ଜୋରଦାର କରାଯାଉଛି। ବର୍ତ୍ତମାନ ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ମଧ୍ୟ ଚାଲିଛି।

ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସଂକ୍ରମିତଙ୍କ ଠାରେ ଜଣ୍ଡିସ୍‌ର ଆଂଶିକ ପ୍ରଭାବ ରହିଛି। ବର୍ତ୍ତମାନ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି। ସହରର କୁମ୍ଭାରପଡା, ସାଲିଆବଗିଚା, ପେନସନପଡା ଓ ଧୋବାପଡା ଅଞ୍ଚଳରୁ ମୋଟ ୮୨ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି।

Leave A Reply

Your email address will not be published.