Odisha Link
Bridging the Missing Links in Odisha

ଜୁଲାଇ ୭ରେ ରଥଯାତ୍ରା: ୧୯୭୧ ମସିହା ଭଳି ହେବ ନୀତିକାନ୍ତି, ୫ଟାରେ ରଥଟଣା

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନିର୍ଘଣ୍ଟ ଅନୁସାରେ ସେଦିନ ମଧ୍ୟାହ୍ନ ୧ଟା ୧୦ରେ ଆରମ୍ଭ ହେବ ପହଣ୍ଡି। ସାଢ଼େ ୨ଟାରେ ପହଣ୍ଡି ସରିବା ଓ ୫ଟାରେ ରଥଟଣା ହେବ। ସେହିପରି ଅପରାହ୍ନ ୪ଟାରେ ଗଜପତି ମହାରାଜା ସମ୍ପନ୍ନ କରିବେ ଛେରାପହଁରା ନୀତି।ଅପରାହ୍ନ ୪ଟା ୩୦ରେ ରଥରୁ ଚାର ମାଳଫିଟା ହେବା ପରେ ଘୋଡ଼ା ଯଚା ହୋଇ ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହେବ।

ତେବେ ପୂର୍ବବର୍ଷ ମାନଙ୍କ ଭଳି ଏଥର ମହାପ୍ରଭୁଙ୍କଠାରୁ ନୁହେଁ ବରଂ ପଟି ଦିଅଁଙ୍କ ପାଖରୁ ରଥଖଳାକୁ ଆଜ୍ଞାମାଳ ବିଜେ ହେବେ। ଜୁଲାଇ ୭ରେ ରାତି ୨ଟାରେ ମଙ୍ଗଳ ଆଳତି ପରେ ବିଭିନ୍ନ ନୀତିକାନ୍ତି କରାଯିବ।  ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ବୈଠକ ପରେ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପି, ନିଯୋଗ ସଦସ୍ୟ ବୈଠକରେ ସାମିଲ ଥିଲେ। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୭ରେ ଅନୁଷ୍ଠିତ ହେବ।

ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।

ସୂଚନାଥାଉକି, ୧୯୭୧ ମସିହାରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ହୋଇଥିଲା। ଏହି ବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଟାଣି ରଥ ରଥ ସିଂହଦ୍ବାର ଚକଡ଼ାକୁ ନିଆଯାଇଥିଲା। ନେତ୍ରୋତ୍ସବ ଦିନ ଅପରାହ୍ନ ୨ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

Leave A Reply

Your email address will not be published.