Odisha Link
Bridging the Missing Links in Odisha

ପାଖେଇ ଆସୁଛି ପ୍ରଭୁଙ୍କ ରଥଯାତ୍ରା, ଏପଟେ ରଥଖଳାରେ ନାହିଁ ଆବଶ୍ୟକ କାଠ

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରେ ହାତ ବାନ୍ଧି ବସିଛନ୍ତି ବିଶ୍ବକର୍ମା। ଆଜି ପୂର୍ବାହ୍ନରେ ତିନି ରଥରେ ତୃତୀୟ ଭୂଇଁ ସଂଯୋଗ ହୋଇ ସାରିଛି। ହେଲେ ଏହାପରେ ତିନି ରଥର ଯେଉଁ ସବୁ କାର୍ଯ୍ୟ ରହିଛି ସେଥିପାଇଁ ଆବଶ୍ୟକ ରଥକାଠ ଆସି ପହଞ୍ଚି ପାରିନି ରଥଖଳାରେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ବକର୍ମା।

ରଥଯାତ୍ରାକୁ ଆଉ ୧୩ ଦିନ ବାକି ଥିବା ବେଳେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ। ହେଲେ କାଠ ଠିକ୍ ଭାବେ ପହଞ୍ଚି ପାରୁନଥିବାରୁ ନନ୍ଦିଘୋଷ ରଥର ପୋଟଳ କାମ ଆଗେଇ ପାରୁନି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି ପଟ୍ଟାନଥିବାରୁ ଆରମ୍ଭ ହୋଇପାରୁନି ପୋଟଳ କାମ। ସ’ ମିଲରେ କାଠ ରଖାଯାଇଥିଲେ ମଧ୍ୟ ଟ୍ରକ କାଠ ଆଣୁନି। କ’ଣ ପାଇଁ ଆସୁନି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ତିନି ରଥର ମୁଖ୍ୟ ବିଶ୍ବକର୍ମା। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବିଶ୍ବକର୍ମା ମାନେ କହିଛନ୍ତି। ନେଚେତ୍‌ ରଥ ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ ହୋଇପାରିବ ନାହିଁ ବୋଲି ମତ ରଖିଛନ୍ତି ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମା।

Leave A Reply

Your email address will not be published.