Odisha Link
Bridging the Missing Links in Odisha

ସରକାରୀ ବାସଭବନ ଭାଙ୍ଗିବା ଘଟଣା: ଭିଡିଓ ଜାରି କରି ପ୍ରଣବ କହିଲେ-ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ

ଓଏଲ୍‌ ବ୍ୟୁରୋ: ଭଙ୍ଗାଚାଲିଛି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସ ଭବନ। ଓଡ଼ିଶାର ହ୍ବାଇଟ୍‌ ହାଉସ୍‌ ଭାବେ ପରିଚିତ ଥିବା ବବି ଦାସଙ୍କ ସରକାରୀ ବାସ ଭବନ ଭଙ୍ଗା ଯାଉଥିବାର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ ନିର୍ବାଚନରେ ପରାଜିତ ହେବା ପରେ ସରକାରୀ ବାସଭବନ ଛାଡ଼ି ସାରିଥିବା ବବି ଦାସଙ୍କ କ୍ବାର୍ଟର ଭାଙ୍ଗୁଛି କିଏ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଭିଡିଓ ବାର୍ତ୍ତା ଜାରି କରି ସ୍ପଷ୍ଟୀକରଣ ରଖିଛନ୍ତି ଖୋଦ୍‌ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ।

ଭିଡିଓ ବାର୍ତ୍ତା ଜାରି କରି ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନିୟମ ଅନୁସାରେ ଘର ଯେମିତି ନେଇଥିଲି ସେମିତି ଫେରାଇବି। ଯେହେତୁ ଦଳର ସମ୍ପାଦକ ଅଛି ଅନେକ ଲୋକ ଆସୁଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହୋଇଥିଲା। ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି। ୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି ବୋଲି କହିଛନ୍ତି ଶ୍ରୀ ଦାସ।

ସେ ଆହୁରି କହିଛନ୍ତି, ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ। ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି। ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା। ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

ସବୁଠୁବଡ଼କଥା ହେଲା ଆଲିଶାନ୍ ଘର ଭିତରେ ରହିଛି ଏକ ଅଣ୍ଡରଗ୍ରାଉଣ୍ଡ୍ , ଟ୍ରି-ହାଉସ୍। ପ୍ରଣବ ପ୍ରକାଶ ଦାସ ଏଥର ନିର୍ବାଚନ ହାରିଯାଇଛନ୍ତି। କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଛନ୍ତି। ସୂଚନାଥାଉକି, ବିଜେଡି ସରକାର ଅମଳରେ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ତାରିଖରେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟରକୁ ନିଜ ଦଖଲକୁ ନେଇଥିଲେ।

Leave A Reply

Your email address will not be published.