Odisha Link
Bridging the Missing Links in Odisha

ରାଜଧାନୀରେ ବନ୍ଦ ହେବ ସମସ୍ତ ମୁକୁଳା ଡ୍ରେନ: ବିଏମ୍‌ସି

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଜାରି ରହିଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି ରିପୋର୍ଟ ଦେଇଥିଲା।

ଏସବୁ ଭିତରେ ମୁକୁଳା ଡ୍ରେନରେ ସ୍ଲାବ ପକାଇବା କାମ ଆରମ୍ଭ ହୋଇଛି। ୨୭ କିମି ଦୂରତା ବିଶିଷ୍ଟ ଡ୍ରେନରେ ସ୍ଲାବ ପଡ଼ୁଛି। ମାସକ ଭିତରେ ସ୍ଲାବ ପକା କାମ ଶେଷ ହେବ। ଭୁବନେଶ୍ଵରରେ ମୋଟ ୧୮୦୦ କିମିର ଡ୍ରେନ ରହିଛି। ୩୪ଟି ସ୍ଥାନରେ ବ୍ୟାରିକେଡ ହେବ, ସ୍ଥାନ ଚିହ୍ନଟ ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି।

ସୂଚନା ଅନୁସାରେ, ଗତ ୧୮ ତାରିଖ ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍‌ରେ ବେଲୁନ୍‌ ଭାସି ଭାସି ଯାଉଥିଲା। ସେହି ବେଲୁନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌ ଭିତରକୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ।

ପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଡ୍ରେନ୍‌ର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ।

Leave A Reply

Your email address will not be published.