Odisha Link
Bridging the Missing Links in Odisha

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ‘ଭାରତୀୟ ନ୍ୟାୟ ସଂହିତା’, ଜାଣନ୍ତୁ ଏହା କ’ଣ..

ଓଏଲ୍‌ ବ୍ୟୁରୋ: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ୩ଟି ନୂଆ ଫୌଜଦାରୀ ଆଇନ। ବ୍ରିଟିଶ ଅମଳର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏହି ନୂଆ ଆଇନ ଲାଗୁ ହେବ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଚଳିତ ବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଲାଗୁ ହେବାକୁ ଥିବା ନୂଆ ଆଇନରେ ଅନେକ ଫରକ ରହିଛି। ପୁରୁଣା ଆଇନର ନିୟମରେ ଅପରାଧକୁ ଗୁରୁତ୍ୱ ଦିଆଯାଉଥିବାବେଳେ ନୂଆ ଆଇନରେ ନ୍ୟାୟକୁ ଅଧିକ ଗୁରୁତ୍ୱ ମିଳିବ।

ସୂଚନା ଥାଉକି, କେନ୍ଦ୍ର ସରକାର ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାରୁ ପ୍ରଚଳିତ ଇଣ୍ଡିଆନ ପିନଲ୍ କୋଡ (ଆଇପିସି) ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ୧୮୯୮ ମସିହାର ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ।

ପୂର୍ବରୁ ଆଇପିସିରେ ୫୧୧ଟି ଧାରା ଥିଲା। ହେଲେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ରହିବ। ଏଥିରେ ୨୦ଟି ନୂଆ ଧାରା ଯୋଡ଼ାଯିବା ସହ ଅନେକ ପୁରୁଣା ଧାରାକୁ ବାଦ ଦିଆଯାଇଛି। ସେହିପରି ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଭାରତର ଫୌଜଦାରୀ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ୨୦୨୩ରେ ସାଂସଦର ଶୀତ ଅଧିବେଶନରେ ୩ଟି ବିଲ୍‌ ଆଣିଥିଲେ। ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲଗୁଡ଼ିକୁ ଅନୁମୋଦନ କରିଥିଲେ।

ଭାରତୀୟ ନ୍ୟାୟ ସଂହିତା ଆଇନ-୨୦୨୩

କୌଣସି କାର୍ଯ୍ୟକଳାପକୁ କେତେବେଳେ ଅପରାଧ ବୋଲି ବିବେଚନା କରାଯିବ, ସେହି ଅପରାଧ ପାଇଁ କଣ ସବୁ ଦଣ୍ଡବିଧାନ ରହିଛି। ଏଭଳି ସୂଚନା ଭାରତୀୟ ଦଣ୍ଡବିଧାନ ଆଇନ-୧୮୬୦ରୁ ଆମକୁ ମିଳେ। ଏହି ଆଇନ ଆଧାରରେ ଉଭୟ ନ୍ୟାୟପାଳିକା ଏବଂ ପୁଲିସ ମଧ୍ୟ କାର୍ଯ୍ୟ କରିଥାନ୍ତି। ହେଲେ ଏହି ବ୍ରିଟିଶ ଅମଳର ଆଇପିସି ଏବେ ବଦଳିବାକୁ ଯାଉଛି। ଆଇପିସି ସ୍ଥାନରେ ଆମ ଦେଶରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)-୨୦୨୩ ପ୍ରଚଳିତ ହେବ। ଏହି ଆଇନ ଆମ ଦଣ୍ଡବିଧାନ ଆଇନ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିଛି। ଆଇପିସିରେ ୫୧୧ଟି ଧାରା ଥିବାବେଳେ ଏଥିରେ ୩୫୮ଟି ଧାରା ରହିଛି। ସାଂପ୍ରତିକ ପରିସ୍ଥିତିକୁ ଦେଖି କିଛି ଅପରାଧର ଦଣ୍ଡବିଧାନକୁ ନେଇ ନୂଆ ନିୟମ ଏହି ନୂଆ ଆଇନରେ ସାମିଲ୍ କରାଯାଇଛି।

ଯେପରିକି ମବ୍ ଲିଂଚି, ୧୮ବର୍ଷରୁ କମ୍ ବୟସ୍କ ମହିଳାଙ୍କୁ ଗଣଦୁଷ୍କର୍ମ, ସଂଗଠିତ ଅପରାଧ, ଛିନ୍ତାଇ, ଆତଙ୍କବାଦ କାର୍ଯ୍ୟକଳାପ, ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସଂପର୍କକୁ ନେଇ ନୂଆ ଆଇନ ସାମିଲ୍ ହୋଇଛି । ଏହି ଆଇନରେ ଯୌନ ଅପରାଧରେ କଠୋର ପଦକ୍ଷେପ ନିଆଯାଇଛି। ଯେଉଁମାନେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣାମୂଳକ ଯୌନ ସଂପର୍କ ସ୍ଥାପନ କରିବେ, ସେମାନଙ୍କ ପାଇଁ ଜେଲ୍ ଦଣ୍ଡ ଏବଂ ଜରିମାନା ଦେବାକୁ ଆଇନ୍ରେ ବ୍ୟବସ୍ଥା କରାଯାଇଛି। ଏହି ନୂଆ ଆଇନ୍ରେ ନିଜର ପରିଚୟ ଲୁଚାଇ କିମ୍ବା ବିବାହ ସମ୍ବଦ୍ଧୀୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସାଂପ୍ରତିକ ପରିସ୍ଥିତିରେ ସଂଗଠିତ ଅପରାଧ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଯେପରିକି ଅପହରଣ, ଡକାୟତି, ଗାଡି ଚୋରି, ଜବରଦଖଲ, ଜମି ଜବରଦଖଲ, ଚୁକ୍ତିଭିତିକ ହତ୍ୟା, ଅର୍ଥନୈତିକ ଅପରାଧ, ସାଇବର ଅପରାଧ ଏବଂ ବ୍ୟକ୍ତି, ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର କିମ୍ବା ବେଆଇନ ସାମଗ୍ରୀ ଚୋରାଚାଲାଣ ଆଦି ବହୁତ୍ ସଂଖ୍ୟାରେ ହେଉଥିବା ଦେଖିବାକୁ ମିଳୁଛି।

ତେଣୁ ଏହି ସବୁ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ପାଇଁ ଆଜୀବନ କାରାଦଣ୍ଡରୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି। ସେହିପରି ଆତଙ୍କବାଦକୁ ଏହି ଆଇନରେ ବର୍ଣ୍ଣନା କରାଯାଇଛି। ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କିମ୍ବା ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା କାର୍ଯ୍ୟକୁ ଆତଙ୍କବାଦ ବୋଲି ବିବେଚନା କରାଯାଇଛି। ଏଭଳି କାର୍ଯ୍ୟ କରୁଥିବା ଦୋଷୀଙ୍କ ପାଇଁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ସହ ଜରିମାନା ଦେବାର ବ୍ୟବସ୍ଥା ରହିଛିି। ମବ୍ ଲିଂଚି ଘଟଣା ପରି ୫ଜଣ କିମ୍ବା ତା ଠାରୁ ଅଧିକ ବ୍ୟକ୍ତି ଜାତି କିମ୍ବା ସଂପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଏବଂ ଅନ୍ୟ କୌଣସି ସମାନ ଆଧାରରେ ହତ୍ୟା କରନ୍ତି, ତେବେ ସେହି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଜରିମାନା ମଧ୍ୟ ଦେବାକୁ ପଡିବ।

Leave A Reply

Your email address will not be published.