Odisha Link
Bridging the Missing Links in Odisha

୫୬ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ହେଭିୱେଟ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି। ଧର୍ମେନ୍ଦ୍ର ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ଅଛନ୍ତି।

ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ଏହାପୂର୍ବରୁ ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ତାପରେ କେନ୍ଦ୍ରମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ପରେ ଦ୍ବିତୀୟ ଓ ତୃତୀୟ ପାଳିରେ ମଧ୍ୟ ମୋଦିଙ୍କ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି।

କିଛି କଥା:

୧୯୮୪ ମସିହାରେ ଇଂଜିନିୟରିଂ କଲେଜରେ ହୋଇଥିବା ଏକ ଛାତ୍ର ହତ୍ୟା ବିରୋଧ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଏଥିପାଇଁ ତାଙ୍କୁ ସ୍ବାଧିନତା ଦିବସରେ କାରଗାରରେ ବନ୍ଦୀ ହୋଇଥିଲେ। ସେହି ଦିନଠାରୁ ହିଁ ଧର୍ମେନ୍ଦ୍ରଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିବା ବିଶିଷ୍ଟ ରାଜନୈତିଜ୍ଞ ମାନେ କୁହନ୍ତି। ୧୯୮୩ ମସିହାରେ ଧର୍ମେନ୍ଦ୍ର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ୧୯୮୫ ମସିହାରେ ଧର୍ମେନ୍ଦ୍ର ତାଳଚେର କଳେଜ ଷ୍ଟୁଡ଼େଣ୍ଟ ୟୁନିଅନର ସଭାପତି ହୋଇଥିଲେ। ପରେ ଉଚ୍ଚଶିକ୍ଷା ନିମନ୍ତେ ଧର୍ମେନ୍ଦ୍ର ୧୯୮୮ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ନୃତତ୍ତ୍ବ ବିଜ୍ଞାନରେ ଏମଏ ବିଭାଗରେ ( M.A.- Anthropology)ନାମ ଲେଖାଇଥିଲେ। ୧୯୮୯ ମସିହାରେ ଧର୍ମେନ୍ଦ୍ର ବାଣୀବିହାର ଛାତ୍ରସଂସଦରେ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ସେବେଠାରୁ ଧର୍ମେନ୍ଦ୍ର ପ୍ରଧାନ କେବେ ଆଉ ପଛକୁ ଫେରି ନାହାନ୍ତି। ଗୋଟାଏ ପରେ ଗୋଟାଏ ସଫଳତାର ସିଡ଼ି ଚଢିଛନ୍ତି ଧର୍ମେନ୍ଦ୍ର।

ପଦ ପଦବୀ:
ମୋଦି ସରକାରର ତୃତୀୟ ପାଳିରେ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
୨୦୨୪ ଲୋକସଭା ନିର୍ବାଚଚନରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
୨୦୨୧ରେ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
୩ ଏପ୍ରିଲ ୨୦୧୮ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ (ବିଜେପି)ଭାବେ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର।
୨୦୧୩ରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବିହାର ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି।
୨୦୧୧ରୁ ୨୦୧୩ ବିଜେପିରୁ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପାଇଁ ଭାରପ୍ରାପ୍ତ ଅଧିକାରୀର ଦାୟିତ୍ବ ତୁଲାଇଥିଲେ।
୨୦୧୦ରୁ ଏବେଯାଏଁ ବିହାର ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ସହ-ଭାରପ୍ରାପ୍ତ ଅଧିକାରୀ, ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।
୨୦୧୨ରୁ ୨ ଏପ୍ରିଲ ୨୦୧୮ ବିହାରରୁ ରାଜ୍ୟସଭା ସାଂସଦ (ବିଜେପି) ଭାବେ ନିର୍ବାଚିତ ହୋଇଥିଲେ।
୨୦୧୦ରୁ ଏବେଯାଏଁ ବିଜେପିରେ ଅଖିଳ ଭାରତୀୟ ଜେନେରାଲ ସେକ୍ରେଟାରୀ , ଭାରତୀୟ ଜନତା ଯୁବମୋର୍ଚ୍ଚା (BJYM) ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି।
୨୦୦୭- ୨୦୧୦ ଜାତୀୟ ସଚିବ,- ବିଜେପି, ଛତିଶଗଡ଼ ରାଜ୍ୟ ବିଜେପି ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ।
୨୦୦୪ – ୨୦୦୯ ଲୋକ ସଭା ସାଂସଦ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ (ବିଜେପି)ନିର୍ବାଚିତ ହୋଇଥିଲେ।
୨୦୦୪ – ୨୦୦୬ ଜାତୀୟ ପ୍ରେସିଡେଣ୍ଟ, ଭାରତୀୟ ଜନତା ଯୁବମୋର୍ଚ୍ଚାର ଦାୟିତ୍ବ ତୁଲାଇଥିଲେ।
୨୦୦୦- ୨୦୦୪ ଓଡ଼ିଶା ବିଧାନ ସଭା ବିଧାୟକ ପାଳଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।
୧୯୯୫ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ବ ସମ୍ପାଦନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୫ତମ ଜନ୍ମଦିବସ ଅବସରରେ ଓଡ଼ିଶା ଲିଙ୍କ୍ ତରଫରୁ ଶୁଭେଚ୍ଛା।

Leave A Reply

Your email address will not be published.