Odisha Link
Bridging the Missing Links in Odisha

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଭାଇରାଲ୍ ଭିଡିଓ ବଢ଼ାଇଲା ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି। ଏହି ଘଟଣା ଭିତରେ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି ଗିରଫ ହୋଇଥିବା ଜଣେ ବ୍ୟକ୍ତି ନିଟ୍ ପେପର୍ ଲିକକୁ ନେଇ କରିଥିବା ପୂର୍ବାନୁମାନର ଏକ ଭିଡିଓ ଭାଇରାଲ୍ ହେଉଛି।

ଭାଇରାଲ୍ ହେଉଥିବା ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଜେନ୍ଦର ଗୁପ୍ତା। ସେ ଏକାଧିକ ରାଜ୍ୟ ସରକାର ନିଯୁକ୍ତି ପରୀକ୍ଷାରେ ପେପର୍ ଲିକ୍ କରି ଗିରଫ ହୋଇଥିଲେ। ୨୦୨୩ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ବିହାର ଜନସେବା ଆୟୋଗ ଏବଂ ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଡିତ ଥିଲେ। ବିଜେନ୍ଦର ମାର୍ଚ୍ଚରେ ନିଟ୍ ପ୍ରଶ୍ନପତ୍ର ଲିକ୍ ହେବ ବୋଲି ଦାବି କରି ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ୍ ହେଉଛି। ନିକଟରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ବିଜେନ୍ଦରଙ୍କଠୁ ପ୍ରଶ୍ନପତ୍ର ଲିକ୍ ପଛରେ ଥିବା ଅନ୍ଧାରୀ କାହାଣୀ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପଚାରି ବୁଝିଛି।

ସେ କହିଛନ୍ତି ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ୭୦୦ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରି ହୋଇଛି ଏବଂ ଏହି ରାକେଟ୍ ୨୦୦-୩୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଥିଲା। କେବଳ ଏତିକି ନୁହେଁ, ରାସ୍ତାରେ ନେବା ସମୟରେ କିପରି ପ୍ରଶ୍ନ ବାକ୍ସ ଭଙ୍ଗାଯାଏ ଏବଂ କଳା ତାଲିକାଭୁକ୍ତ କମ୍ପାନୀଗୁଡିକ କିପରି ଟେଣ୍ଡର ପରିଚାଳନା କରନ୍ତି ସେ ବିଷୟରେ ବ୍ୟାଖ୍ୟା କରିଛନ୍ତି। ସେ ମଧ୍ୟ ନିଟ୍ ପ୍ରଶ୍ନପତ୍ର ଲିକର ମୁଖ୍ୟ ଅଭିଯୁକ୍ତ ସଞ୍ଜିବ ମୁଖିଆ ଏବଂ ଗିରଫ ହୋଇଥିବା ବିଶାଲ ଚୌରାସିଆଙ୍କୁ ଜାଣିଥିବା କହିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.