Odisha Link
Bridging the Missing Links in Odisha

ଏକାଠି ନଜର ଆସିଲେ ମୋଦି-ରାହୁଲ, ହସିଲେ ଓ ଉଭୟେ ମିଶି ବାଚସ୍ପତିଙ୍କୁ କଲେ ସ୍ବାଗତ

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ସାଂସଦ ଓମ୍‌ ବିର୍ଲା ଲଗାତାର ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାଚସ୍ପତି ଆସନ ପର୍ଯ୍ୟନ୍ତ ଦୁଇ ନେତା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହିତ ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧୀ ବିରୋଧି ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଗାନ୍ଧୀ ପରିବାର ତୃତୀୟ ନେତା ଭାବେ ବିରୋଧୀ ଦଳ ନେତା ହୋଇଛନ୍ତି ରାହୁଲ। ତାଙ୍କ ପୂର୍ବରୁ ସୋନିଆ ଗାନ୍ଧୀ ଓ ରାଜୀବ ଗାନ୍ଧୀ ବିପକ୍ଷ ଦଳ ନେତା ରହି ସାରିଛନ୍ତି।

୧୮ ତମ ଲୋକସଭାକୁ ରାଜସ୍ଥାନର କୋଟାରୁ ଲଗାତାର ତୃତୀୟ ଥର ପାଇଁ ନିର୍ବାଚିତ ହୋଇ ଆସିଥିବା ଓମ୍‌ ବିର୍ଲା ଲୋକସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ସେ ବିପକ୍ଷ ଗଠବନ୍ଧନର ପ୍ରାର୍ଥୀ କେ ସୁରେଶଙ୍କୁ ଧ୍ବନିମତରେ ହରାଇଛନ୍ତି। ଏହାପରେ ଲୋକସଭା ସଦନରେ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ ପରସ୍ପର ହାତ ମିଳାଇଥିଲେ।

ଗାନ୍ଧୀ ପରିବାର ତୃତୀୟ ନେତା ଭାବେ ବିରୋଧୀ ଦଳ ନେତା ହୋଇଛନ୍ତି ରାହୁଲ ଗାନ୍ଧୀ। ତାଙ୍କ ପୂର୍ବରୁ ତାଙ୍କ ମା ସୋନିଆ ଗାନ୍ଧୀ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିପକ୍ଷ ଦଳ ନେତା ଭାବେ ଦାୟିତ୍ବ ତୁଲାଇଥିଲେ। ତା ପୂର୍ବରୁ ରାହୁଲଙ୍କ ବାପା ରାଜୀବ ଗାନ୍ଧୀ ୧୯୮୯-୧୯୯୦ ପର୍ଯ୍ୟନ୍ତ ବିପକ୍ଷ ଦଳ ନେତା ଭାବେ କାର୍ଯ୍ୟ ତୁଲାଇଥିଲେ।

ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ କ’ଣ କହିଲେ?

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି ଆସନରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଥିଲେ। ସେ କହିଛନ୍ତି, ସମ୍ମାନର କଥା ଆପଣ ଦ୍ବିତୀୟ ଥର ପାଇଁ ବାଚସ୍ପତି ଆସନରେ ବସିଛନ୍ତି। ପୁରା ସଦନ ପକ୍ଷରୁ ମୁଁ ଶୁଭେଚ୍ଛା ଜଣାଉଛି। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ମାର୍ଗଦର୍ଶନର ଆଶା କରୁଛି। ଆପଣଙ୍କ ମିଠା ହସ ସାରା ସଦନକୁ ଖୁସି ରଖିଥାଏ ବୋଲି ପିଏମ୍‌ ମୋଦି କହିଛନ୍ତି।

ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଓମ୍‌ ବିର୍ଲାଙ୍କ ଶୁଭେଚ୍ଛା ଜଣାଇବା ସହିତ ବିପକ୍ଷ ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି। ଇଂରାଜୀରେ ଭାଷଣ ଦେଇଥିବା ରାହୁଲ କହିଛନ୍ତି, ବିପକ୍ଷ ଦଳ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। ଆପଣ ଜନତାଙ୍କ ସ୍ବରର ମାଧ୍ୟମ। ସରକାରଙ୍କ ପାଖରେ ରାଜନୈତିକ ଶକ୍ତି ରହିଛି। ହେଲେ ବିପକ୍ଷ ଦଳ ଜନତାଙ୍କ ସ୍ବର। ବିପକ୍ଷ ଦଳ ଆପଣଙ୍କୁ ଆପଣଙ୍କ କାମରେ ସହଯୋଗ କରିବ। ମୋର ବିଶ୍ବାସ ଅଛି ଯେ ଆପଣ ସଦନରେ ବିପକ୍ଷ ଦଳର ନେତାଙ୍କୁ କହିବାକୁ ପାତରଅନ୍ତର ନ କରି ସୁଯୋଗ ଦେବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

Leave A Reply

Your email address will not be published.