Odisha Link
Bridging the Missing Links in Odisha

୨୦୧୩ ପରଠୁ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି ଭାରତ, ୫ ଫାଇନାଲ ଓ ୪ଟି ସେମିରେ ହାରିଛି ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଭାରତ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ଷ୍ଟେଜରେ ସ୍ଥାନ ପକ୍କା କରିଛି। ଟିମ୍‌ ଇଣ୍ଡିଆ ଜୁନ୍‌ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍‌ର ସେମି ଫାଇନାଲ ମୁକାବିଲା ଖେଳିବ। ୨୦୧୩ ମସିହା ପରେ ଟିମ୍‌ ଇଣ୍ଡିଆ ୧୧ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛି। ସେଥିରୁ ୧୦ ଥର ନକ୍‌ଆଉଟ୍‌ ଷ୍ଟେଜରେ ପହଁଞ୍ଚିଛି ଦଳ। ଲଗାତାର ଗ୍ରୁପ୍‌ ଷ୍ଟେଜରେ ଦମଦାର ପ୍ରଦର୍ଶନ କରି ନକ୍‌ଆଉଟ୍‌ ଷ୍ଟେଜରେ ପହଞ୍ଚୁଥିବା ଭାରତୀୟ ଦଳ ୨୦୧୪ ମସିହାରୁ ଗୋଟିଏ ବି ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇ ନାହିଁ।

୨୦୦୭ ମସିହା ପରଠୁ ଟି-୨୦ ବିଶ୍ବକପ୍‌ରେ ମିଳିନି ସଫଳତା:
ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଶ୍ବ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଦଳ ପାକିସ୍ତାନକୁ ଫାଇନାଲ ମୁକାବିଲାରେ ୫ ରନରେ ପରାସ୍ତ କରିଥିଲେ। ୨୦୦୭ ପରଠୁ ଭାରତ ୭ଟି ଟି-୨୦ ବିଶ୍ବକପ୍‌ ଖେଳିଛି। ୩ଟି ଟୁର୍ଣ୍ଣାମେଣ୍ଟରେ ଦଳ ନକ୍‌ଆଉଟ୍‌ ଷ୍ଟ୍ରେଜରେ ଅର୍ଥାତ୍‌ ସେମିଫାଇନାଲ କିମ୍ବା ଫାଇନାଲ ଖେଳିଛି। ହେଲେ ଟ୍ରଫି ହାତେଇବାରେ ସଫଳ ହୋଇ ନାହିଁ।

୨୦୧୪ ମସିହାରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ଭାରତକୁ ହରାଇ ବିଶ୍ବ ବିଜେତା ହୋଇଥିଲା। ସେହିପରି ୨୦୧୬ରେ ସେମି ଫାଇନାଲ ମୁକାବିଲାରେ ଓ୍ବେଷ୍ଟଇଣ୍ଡିଜଠୁ ପରାସ୍ତ ହୋଇଥିଲା ଭାରତ। ଶେଷଥର ପାଇଁ ୨୦୨୨ରେ ନକ୍‌ଆଉଟ୍‌ ମୁକାବିଲା ଖେଳିଥିଲା ଭାରତ। ହେଲେ ଇଂଲଣ୍ଡଠୁ ହାରିଥିଲା ଭାରତ। ୨୦୦୯,୨୦୧୦,୨୦୧୨,୨୦୨୧ ମସିହାରେ ଭାରତୀୟ ଦଳ ଗ୍ରୁପ୍‌ ଷ୍ଟେଜରୁ ହିଁ ବିଦା ହୋଇଥିଲା।

ଦିନିକିଆରେ ବି ମିଳିନି ସଫଳତା:
ଟିମ୍‌ ଇଣ୍ଡିଆ ଶେଷ ଥର ପାଇଁ ୨୦୧୧ ମସିହାରେ ଦିନିକିଆ ବିଶ୍ବକପ୍‌ ଜିତିଥିଲା। ତାପୂର୍ବରୁ ୧୯୮୩ ମସିହାରେ ଭାରତୀୟ ଦଳ ଦିନିକିଆ ବିଶ୍ବକପ୍‌ ଟ୍ରଫି ହାତେଇଥିଲା। ତାପରଠୁ ଭାରତ ଗୋଟିଏ ବି ବିଶ୍ବକପ୍‌ ହାତେଇବାରେ ସଫଳ ହୋଇନାହିଁ। ୨୦୧୯ରେ ସେମିଫାଇନାଲ ଓ ୨୦୨୩ରେ ଫାଇନାଲରେ ପରାସ୍ତ ହୋଇ ଟ୍ରଫି ହାତେଇବାରେ ବିଫଳ ହୋଇଥିଲା।

ଶେଷଥର ପାଇଁ ୨୦୧୩ ଜିିତିଥିଲା ଚାମ୍ପିଅନ୍ସ ଟ୍ରଫି:
ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତ ପ୍ରଥମ ଥର ପାଇଁ ୨୦୦୨ ମସିହାରେ ଜିତିଥିଲା। ଫାଇନାଲ ଫଳାଫଳ ନଆସିବାରୁ ଟ୍ରଫି ଶ୍ରୀଲଙ୍କା ସହିତ ସେୟାର କରିବାକୁ ପଡ଼ିଥିଲା। ଏହାପରେ ୨୦୧୩ ମସିହାରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ହାତେଇଥିଲା ଭାରତ। ବିଗତ ୧୧ ବର୍ଷ ମଧ୍ୟରେ ଭାରତ ମାତ୍ର ଗୋଟିଏ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି।

Leave A Reply

Your email address will not be published.