Odisha Link
Bridging the Missing Links in Odisha

ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଆଇନ୍, ସଂସଦରେ କ’ଣ କହିଲେ ମହାମହିମ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ ସମ୍ପର୍କରେ ସୂଚନା ଦେଉଛନ୍ତି। ଏହି ଅବସରରେ ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ନୂଆ ଭାରତୀୟ ନ୍ୟାୟ ସଂହିତା କ’ଣ ଜାଣନ୍ତୁ:

ନୂଆ ନିୟମ ଅନୁସାରେ ଦେଶରୁ ହଟିବ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’।

ଗତ ଶୀତ ଅଧିବେଶନ ସମୟରେ ସରକାର ସଂସଦର ଉଭୟ ଗୃହରେ ବିଲକୁ ପାରିତ କରିଥିଲେ।ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ବିଲଟି ଆଇନରେ ପରିଣତ ହେଇଥିଲା।ଏହି ତିନୋଟି ଆଇନ୍ ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨, ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ ଏବଂ ଆଇପିସିର ସ୍ଥାନ ନେବ। ତେବେ ନୂଆ ଆଇନରେ ଆତଙ୍କବାଦ, ମବ୍ ଲିଚିଙ୍ଗ୍ ଓ ରାଷ୍ଟ୍ରୀୟ ସୁରକ୍ଷା ଭଳି ଅପରାଧରେ ସଜାକୁ ବଢାଇ ଦିଆଯାଇଛି।

କେନ୍ଦ୍ର ସରକାର ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାରୁ ପ୍ରଚଳିତ ଇଣ୍ଡିଆନ ପିନଲ୍ କୋଡ (ଆଇପିସି) ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ୧୮୯୮ ମସିହାର ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ।

ପୂର୍ବରୁ ଆଇପିସିରେ ୫୧୧ଟି ଧାରା ଥିଲା। ହେଲେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ରହିବ। ଏଥିରେ ୨୦ଟି ନୂଆ ଧାରା ଯୋଡ଼ାଯିବା ସହ ଅନେକ ପୁରୁଣା ଧାରାକୁ ବାଦ ଦିଆଯାଇଛି। ସେହିପରି ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଭାରତର ଫୌଜଦାରୀ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ୨୦୨୩ରେ ସାଂସଦର ଶୀତ ଅଧିବେଶନରେ ୩ଟି ବିଲ୍‌ ଆଣିଥିଲେ। ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲଗୁଡ଼ିକୁ ଅନୁମୋଦନ କରିଥିଲେ।

Leave A Reply

Your email address will not be published.