ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ: ଦୃଷ୍ଟିଶକ୍ତି ହରାଇବା ଭୟରେ ୧୩ ରୋଗୀ

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ମୋତିଆ ବିନ୍ଦୁ ଏକ ସର୍ବବ୍ୟାପି ରୋଗ ପାଲଟିଯାଇଛି। ପ୍ରତି ଘରେ କିଏ ନା କିଏ ଏ ରୋଗର ଶିକାର ହେଉଛନ୍ତି। ତେବେ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲାର ଏକ ଘରୋଇ ଆଖି ଚିକିତ୍ସାଳୟରେ ୧୩ ଜଣ ରୋଗୀ ଅସ୍ତ୍ରୋପଚାର କରାଇଥିଲେ। ଏମାନେ ସମସ୍ତେ ଅନୁଗୋଳ, ବଅଁରପାଳ ଓ ଆଠମଲ୍ଲିକ ଅଂଚଳର। ଅପରେସନ୍ ପରେ ଡାକ୍ତର ରୋଗୀଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ।
ଅପରେସନର ୨୪ ଘଂଟା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା। ହେଲେ ପରେ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। ଅସହ୍ୟ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା। ସବୁ ରୋଗୀଙ୍କ ନିକଟରେ ସମାନ ଲକ୍ଷଣ ଦେଖାଦେବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଥିଲେ। ୨୩ ତାରିଖରେ ୧୩ ଜଣଙ୍କୁ ବୁର୍ଲାରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
ତେବେ ଏହି ତ୍ରୁଟିପୂର୍ଣ୍ଣ ଆଖି ଅପରେସନ ଅଭିଯୋଗ ପରେ ସମ୍ପୃକ୍ତ ଘରୋଇ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଅନୁଗୁଳରେ ଥିବା ପ୍ରଧାନ ଚକ୍ଷୁ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ହୋଇଥିଲେ ୧୩ଜଣ। ଏହି ଘଟଣାରେ ପୁଲିସ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ କ୍ଲିନିକକୁ ସିଲ କରିଛି। ତଦନ୍ତ ଚାଲିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଅନୁଗୁଳ ସିଡିଏମଓ ଶିବାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।