Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଗଲା ଫୁଲୁରି ତେଲ, ଧିରେ ଧିରେ ସୁସ୍ଥ ହେବେ ମହାପ୍ରଭୁ

ଓଏଲ୍‌ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବାପରେ ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ମହାବାହୁଙ୍କ ଆରୋଗ୍ୟ ପାଇଁ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଛି। ନୀଳାଦ୍ରୀ ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନଙ୍କ ଦ୍ୱାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ଏହିକ୍ରମରେ ପରମ୍ପରା ଅନୁସାରେ ଅସରର ଷଷ୍ଠ ଦିନରେ ଅର୍ଥାତ ଆଜି ଜଗନ୍ନାଥଙ୍କୁ ଫୁଲୁରି ତେଲ ଲାଗି ହେବ। ଏଥିପାଇଁ ଓଡ଼ିଆ ମଠରେ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଗଲା।

ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ବଡ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲରୀ ତେଲ ପ୍ରଦାନ କରାଯାଇଥାଏ। ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ। ପରେ ସେଥିରେ ଔଷଧୀୟ ଦ୍ରବ୍ୟ ସହ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ।

ଫୁଲୁରୀ ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ପରେ ସେହି ଫୁଲରୀ ତେଲକୁ ଶ୍ରୀମନ୍ଦିର ଭିତରକୁ ପଠାଯାଇଥାଏ। ସେଥିରେ ମହାପ୍ରଭୁ ମାଲିସ ହୋଇଥାଆନ୍ତି। ଏହି ତେଲ୍‌ରେ ମାଲିସ୍‌ ହେବା ପରେ ମହାପ୍ରଭୁ ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଗୁପ୍ତ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହେବେ ମହାପ୍ରଭୁ ।

Leave A Reply

Your email address will not be published.