୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତ
![](https://www.odishalink.com/wp-content/uploads/2024/06/Team-India-750x430.jpeg)
ଓଏଲ୍ ବ୍ୟୁରୋ: ୨୦୨୨ର ପ୍ରତିଶୋଧ ୨୦୨୪ରେ ନେଲା ଟିମ୍ ଇଣ୍ଡିଆ। ଚଳିତ ଟି-୨୦ ବିଶ୍ବକପ୍ର ୨ୟ ସେମି ଫାଇନାଲା ମୁୁକାବିଲାରେ ଇଂଲଣ୍ଡ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ। ୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି ଭାରତ। ୨୦୨୨ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିବା ଭାରତ ୨୦୨୪ ବିଶ୍ବକପ୍ରେ ଇଂଲଣ୍ଡକୁ ୬୮ ରନ୍ରେ ପରାସ୍ତ କରିଛି। ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଦଳ ସହଜ ବିଜୟ ହାସଲ କରିିଛି।
୨ୟ ସେମି ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳି ବିରାଟ କୋହଲି ଓ ରୋହିତ ଶର୍ମା ଇନିଂସ୍ ଓପନ କରିଥିଲେ। ହେଲେ ବିରାଟ କୋହଲି ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ। ମାତ୍ର ୮ ରନ୍ ସ୍କୋର କରି ପ୍ୟାଭିିଲିଅନ୍ ଫେରିଥିଲେ। ପରେ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଥିବା ବେଳେ ବିଶେଷ କିଛି କରି ପାରି ନଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ରୋହିତଙ୍କ ସାଥ ଦେଇ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।
ରୋହିତ ଶର୍ମାଙ୍କ ୫୭, ସୂର୍ଯ୍ୟଙ୍କ ୪୭ ରନ୍ ସ୍କୋର ବଳରେ ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ୍ କରିବାରେ ସକ୍ଷମ ହୋଇଥିଲା। ଏଥିସହିତ ଇଂଲଣ୍ଡ ଆଗରେ ୧୭୨ ରନ୍ର ଟାର୍ଗେଟ ରଖିଥିଲା ଭାରତ। ହେଲେ ଇଂଲଣ୍ଡ ଦଳ ୧୬.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ମୋଟ ୧୦୩ ରନ୍ କରିବାରେ ସକ୍ଷମ ହୋଇଥିଲା। ଯାହାଫଳରେ ଟିମ୍ ଇଣ୍ଡିଆ ୬୮ ରନରେ ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ-କୁଲଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ବୁୁମରା ୨ଟି ଓ୍ବିକେଟ ନେଇଥିଲା।
୨୦୦୭ ମସିହାରେ ଭାରତ ଟି-୨୦ ବିଶ୍ବକପ୍ ଟ୍ରଫି ହାତେଇଥିଲା। ତାର ୭ ବର୍ଷ ପରେ ୨୦୧୪ ମସିହାରେ ଦଳ ଫାଇନାଲରେ ପ୍ରବେଶ କରିଥବା ସତ୍ତ୍ବେ ଟ୍ରଫି ଜିତି ପାରିନଥିଲା । ଏବପେ ୧୦ ବର୍ଷ ପରେ ଭାରତ ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି।