ଜୁଲାଇ ୨ରେ ହେବ ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ପୁରୀ ଗସ୍ତରେ ଆସି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ପୂର୍ବାହ୍ନରେ ଆଇନ ମନ୍ତ୍ରୀ ପୁରୀ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଇଛି।
ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ଵ ଠିକ୍ ସମୟରେ ଯେଭଳି ସାରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତଙ୍କ ଦର୍ଶନ, ରହଣୀ, ଗମନାଗମନ, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ସହ ଜୁଲାଇ ୨ରେ ରଥଯାତ୍ରା ପାଇଁ ତୃତୀୟ ସମନ୍ବୟ ବୈଠକ ହେବ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀ ପୌର ସଦନରେ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।