ବଦଳିବ ଲକ୍ଷ୍ମୀ ବସ୍ର ନାଁ, ଏଣିକି ଏହି ନାମରେ ଗଡ଼ିବ ବସ୍

ଓଏଲ୍ ବ୍ୟୁରୋ: ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ସୁବିଧାକୁ ନଜରରେ ରଖି ନିର୍ବାଚନ ପୂର୍ବରୁ ବିଜେଡି ସରକାର ରାଜ୍ୟରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନିର୍ବାଚନରେ ବିଜେଡି ସରକାର ହାରିବା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଶାସନ କରୁଛି। ଏସବୁ ମଧ୍ୟରେ ‘ଲକ୍ଷ୍ମୀ ବସ୍’ ସେବାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଏସବୁ ଉପରୁ ପରଦା ଉଠାଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଲକ୍ଷ୍ମୀ ବସ୍ର ନାଁ ବଦଳାଯିବ। ମୁଖ୍ୟମନ୍ତ୍ରୀ ବସ୍ ସେବା ନାଁରେ ଏଣିକି ରାଜ୍ୟରେ ଗଡ଼ିବ ବସ୍। ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଲୋକଙ୍କୁ ବସ୍ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଥାଉକି, ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା। ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ। ଅଳ୍ପ ଟଙ୍କାରେ ପଞ୍ଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ। କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି। ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।