ଦେଶରେ ଲାଗୁ ହେଲା ନୂଆ ଆଇନ୍, ରାଜଧାନୀରେ ରୁଜୁ ହେଲା ପ୍ରଥମ ମାମଲା
ଓଏଲ୍ ବ୍ୟୁରୋ: ହଟିଲା ବ୍ରିଟିଶ ନିୟମ। ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ ଏଭିଡେନ୍ସ ଆକ୍ଟ। ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ସଂସ୍କାର ଅଣାଯାଇଛି। କାର୍ଯ୍ୟକାରୀ ହୋଇଥିବା ୩ଟି ନୂଆ ଫୌଜଦାରୀ ଆଇନ ଅନୁସାରେ ଟୁଇନ୍ସିଟିର ଲକ୍ଷ୍ମୀସାଗର ଥାନାରେ ପ୍ରଥମ ମାମଲା ରୁଜୁ ହୋଇଛି।
୩ ନୂଆ ଆଇନ ବ୍ୟବସ୍ଥା କ’ଣ ଜାଣନ୍ତୁ:
ନୂଆ ନିୟମ ଅନୁସାରେ, ଦେଶରୁ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ‘ଭାରତୀୟ ନ୍ୟାୟ ସଂହିତା’, ‘‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନସ୍ ଆକ୍ଟ’ ପରିବର୍ତ୍ତେ ‘ଭାରତୀୟ ସାକ୍ଷ୍ୟ’ ଆରମ୍ଭ ହୋଇଛି।
କେନ୍ଦ୍ର ସରକାର ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାରୁ ପ୍ରଚଳିତ ଇଣ୍ଡିଆନ ପିନଲ୍ କୋଡ (ଆଇପିସି) ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି। ସେହିପରି ୧୮୯୮ ମସିହାର ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହୋଇଛି।
ପୂର୍ବରୁ ଆଇପିସିରେ ୫୧୧ଟି ଧାରା ଥିଲା। ହେଲେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ରହିଛି। ଏଥିରେ ୨୦ଟି ନୂଆ ଧାରା ଯୋଡ଼ାଯିବା ସହ ଅନେକ ପୁରୁଣା ଧାରାକୁ ବାଦ ଦିଆଯାଇଛି। ସେହିପରି ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତର ଫୌଜଦାରୀ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ୨୦୨୩ରେ ସାଂସଦର ଶୀତ ଅଧିବେଶନରେ ୩ଟି ବିଲ୍ ଆଣିଥିଲେ। ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲଗୁଡ଼ିକୁ ଅନୁମୋଦନ କରିଥିଲେ।