Odisha Link
Bridging the Missing Links in Odisha

କାହିଁକି ପାଳନ ହୁଏ ଡାକ୍ତର ଦିବସ, ଜାଣନ୍ତୁ କ’ଣ ରହିଛି ଉଦ୍ଦେଶ୍ୟ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ରୋଗୀମାନଙ୍କୁ ରୋଗରୁ ମୁକ୍ତ କରିବାରେ ଏବଂ ଲୋକଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରୁଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଏବଂ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧ ତାରିଖ ଅର୍ଥାତ ଆଜିର ଦିନରେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଜାତୀୟ ଡାକ୍ତର ଦିବସ କେବଳ ଡାକ୍ତରମାନଙ୍କୁ ସେମାନଙ୍କ ବୃତ୍ତି ସହ ଜଡିତ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରେରଣା ଦେଇନଥାଏ, ବରଂ ଏହି ଅବସରରେ ଡାକ୍ତରଙ୍କ କଠିନ ପରିଶ୍ରମ ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ଚିହ୍ନିବା, ସ୍ୱୀକାର କରିବା ଏବଂ ସମ୍ମାନିତ କରିବାର ସୁଯୋଗ ମଧ୍ୟ ଦେଇଥାଏ।

ଏହି ଦିବସ ପାଳନ ପଛର ଇତିହାସ କ’ଣ ଏବଂ ଚଳିତ ବର୍ଷର ଥିମ କ’ଣ?

ସୁସ୍ଥ ଜୀବନ ସମସ୍ତଙ୍କ ପ୍ରାଥମିକତା ତାଲିକାରେ ଅଛି। ଏହା ମଧ୍ୟ କୁହାଯାଇଛି ଯେ, ‘ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ ଧନ’। କେବଳ ଜଣେ ସୁସ୍ଥ ବ୍ୟକ୍ତି ଜୀବନକୁ ସଠିକ୍ ଭାବରେ ଉପଭୋଗ କରିପାରିବେ ଏବଂ ଏଥିପାଇଁ ଆମ ଜୀବନରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରିକି ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ଅବତାର ବୋଲି ମଧ୍ୟ ବିବେଚନା କରାଯାଏ। କାରଣ ଡାକ୍ତରଙ୍କ ସାହାଯ୍ୟରେ ଜଣେ ରୋଗୀ ଏକ ନୂଆ ଜୀବନ ପାଇଥାଏ। ବଡ଼ ଏବଂ ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରିବ। ଏପରିକି ଜଣେ ରୋଗୀ ଯେତେବେଳେ ନିଜ ରୋଗ ସହ ଲଢୁଥାଏ ସେତେବେଳେ ମୃତ୍ୟୁମୁଖରୁ ଆଣିବା ପଛରେ ଡାକ୍ତରଙ୍କ ଗୁରୁତ୍ୱ ଅଧିକ ରହିଥାଏ।

ଡା.ବିଧାନ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଭାରତରେ ସର୍ବପ୍ରଥମେ ଡାକ୍ତର ଦିସବ ୧୯୯୧ ମସିହାରେ ପାଳନ କରାଯାଇଥିଲା। କୋଲକାତା ମୁଖ୍ୟମନ୍ତ୍ରୀ ଭାବେ କାମ ସାରିଛନ୍ତି ଡା. ବିଧାନ ଚନ୍ଦ୍ର ରାୟ। ସେ ହେଲଥକେୟାର ସିଷ୍ଟମରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ୧ ଜୁଲାଇ ୧୮୮୨ରେ ବିହାରର ପଟଣାରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଯାଦବପୁର ରାଜୟକ୍ଷ୍ମା ହସ୍ପିଟାଲ, ଚିତ୍ତରଞ୍ଜନ ସେବା ସଦନ ଫର ୱିମେନ ଆଣ୍ଡ ଚିଲଡ୍ରେନ, କମଳା ନେହେରୁ ମେମୋରିଆଲ ହସ୍ପିଟାଲ, ବିକ୍ଟୋରିଆ କଲେଜ ଏବଂ ଚିତ୍ତରଞ୍ଜନ କ୍ୟାନ୍ସର ହସ୍ପିଟାଲ ଖୋଲି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।

ସେ ରୋଗୀମାନଙ୍କ ଚିକିତ୍ସା ବହୁତ କମ ମୂଲ୍ୟରେ କରୁଥିଲେ। ସେ ମେଡିକାଲ ଷ୍ଟାଫ ନଥିବା ସମୟରେ ମଧ୍ୟ ନିଜେ କାମ କରୁଥିଲେ। ମେଡିକାଲ ଜଗତରେ ତାଙ୍କ ଯୋଗଦାନ ଆଜି ଡାକ୍ତରର୍ସଙ୍କ ପାଇଁ ପ୍ରେରଣା ପ୍ରଦାନ କରିଥାଏ। ତାଙ୍କର ଏଭଳି କାର୍ଯ୍ୟ ଦେଖି ଭାରତ ସରକାର ୧୯୭୬ ମସହିରେ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ। ଖାଲି ଏତିକି ନୁହେଁ ତାଙ୍କର ପରଲୋକ ପରେ ତାଙ୍କ ଜନ୍ମଦିନକୁ ଜାତୀୟ ଡାକ୍ତର ଦିବସ ବାବେ ପାଳନ କରିବାକୁ ଘୋଷଣା କରିଥିଲେ।

ପ୍ରତିବର୍ଷ ଏହି ବିଶେଷ ଦିନ ପାଳନ କରିବାକୁ ଡାକ୍ତରଙ୍କ ସମ୍ମାନାର୍ଥେ ଏକ ଥିମ୍ ରଖାଯାଏ। ଏହି ବର୍ଷର ଥିମ୍ କିଛି ଭିନ୍ନ ଅଟେ। ଚଳିତ ବର୍ଷର ଥିମର (National doctors day theme 2024 is Healing Hands, Caring Hearts) ‘ହିଲିଙ୍ଗ ହ୍ୟାଣ୍ଡସ, କେୟାରିଙ୍ଗ ହାର୍ଟସ’। ଏହାର ଅର୍ଥ ଡାକ୍ତରଙ୍କ ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ।

Leave A Reply

Your email address will not be published.