Odisha Link
Bridging the Missing Links in Odisha

ସମ୍‌ ହସ୍ପିଟାଲ୍‌ ଶିତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନଙ୍କ ଦ୍ୱାରା ଜଟିଳ ଅସ୍ତ୍ରୋପଚାର ସମ୍ପନ୍ନ

ଓଏଲ୍‌ ବ୍ୟୁରୋ: ଜଣେ ମେଦବହୁଳ ରୋଗୀଙ୍କର ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନମାନେ । ରୋଗୀ ଜଣଙ୍କର ମାତ୍ରାଧିକ ମେରୁଦଣ୍ଡ ଜନିତ ସମସ୍ୟା ଥିବା ବେଳେ ତାଙ୍କର ହୃଦ ଏବଂ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ରହିଥିଲା । ଏଭଳି ସମସ୍ୟା ରହିଥିବାରୁ ନ୍ୟୁରୋସର୍ଜରୀ, କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ସର୍ଜିକାଲ୍‌ ଟିମ୍‌ ଏହାକୁ ଏକ ଆହ୍ୱାନ୍‌ ଭାବେ ଗ୍ରହଣ କରି ଏହି ଅସ୍ତ୍ରୋପଚାର କରିଥିଲେ। ୧୩୦ କେଜି ଓଜନ ଥିବା ଏହି ରୋଗୀଙ୍କ ଶରୀରରେ ସର୍ଜିକାଲ୍‌ ଟିମ୍‌ ଏକା ସଂଗେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ପାଇନ୍‌ ସର୍ଜରୀ କରିଥିଲେ। ଏହି ସର୍ଜରୀଗୁଡ଼ିକ ହେଲା ସର୍ଭାଇକାଲ୍‌ ଲାମିନେକ୍ଟୋମି, ଲୁମ୍ବାର ଲାମିନେକ୍ଟୋମି ଏବଂ ଏଥି ସହିତ ପୋଷ୍ଟ ସ୍ପାଇନାଲ୍‌ ଫିକ୍‌ସେସନ୍‌ ।

ଅତ୍ୟାଧୁନିକ ଅସ୍ତ୍ରୋପଚାର ଶୈଳୀ ମାଧ୍ୟମରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌, ଭୁବନେଶ୍ୱରର ନ୍ୟୁରୋସର୍ଜନ୍‌ ଡାକ୍ତର ସୁର୍ଯ୍ୟପ୍ରତାପ ସିଂ ତୋମାର ଏବଂ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଅର୍ଥୋପେଡିକ୍‌ ସର୍ଜନ୍‌ ଡାକ୍ତର ରଞ୍ଜିତ ପାତ୍ର ଏହି ଅସ୍ତ୍ରୋପଚାର ସମ୍ପାଦନ କରିଥିଲେ । ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେଉଥିôବା ବେଳେ ତାଙ୍କର ଯନ୍ତ୍ରଣା ମଧ୍ୟ କମିବାରେ ଲାଗିଛି ଯାହାକି ଏହିପରି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ କରିବାରେ ହସ୍ପିଟାଲର ଦକ୍ଷତା ଓ ସଫଳତାକୁ ସୂଚାଉଛି । ୫ ମାସ ତଳେ ଆଇଏମଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ଶୀତଳାପଲ୍ଲୀ କ୍ୟାମ୍ପସ୍‌ ଉଦ୍‌ଘାଟିତ ହୋଇଥିବା ବେଳେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଦକ୍ଷିଣ ଓଡ଼ିଶାର ରୋଗୀମାନଙ୍କ ପାଇଁ ବେଶ ଭରସାଯୋଗ୍ୟ ହେବାରେ ଲାଗିଛି ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.