Odisha Link
Bridging the Missing Links in Odisha

ଲକ୍ଷ୍ମୀ ବସ୍‌ର ରୂପାନ୍ତରୀକରଣ

ଓଏଲ୍‌ ବ୍ୟୁରୋ: ବହୁ କଳ୍ପନାଜଳ୍ପନା ପରେ ଶେଷରେ ‘ଲକ୍ଷ୍ମୀ’ ବସ୍‌ର ନବକଳେବର। ରଙ୍ଗ ପରିବର୍ତ୍ତନ ସହିତ ଲୋଗାରର ପରିବର୍ତ୍ତନ ହୋଇଛି। ଢେଙ୍କାନାଳ ବସ୍‌ଷ୍ଟାଣ୍ଡରେ ଥିବା ୨୮ଟି ବସ୍‌ର ରଙ୍ଗ ବଦଳିଛି। ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏନେଇ ଢେଙ୍କାନାଳ ଆରଟିଓ କିଛି କହୁ ନାହାନ୍ତି। ଲକ୍ଷ୍ମୀ ବସ୍‌ର ରଙ୍ଗ ପରିବର୍ତ୍ତନ ନେଇ ଆମ ପାଖରେ କିଛି ଖବର ନାହିଁ କିମ୍ବା ଆମ କର୍ମଚାରୀ ଏହି କାମ କରୁ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତା’ ହେଲେ କାହା ଦ୍ୱାରା ଏହି କାମ ହେଉଛି, ଏଥିପାଇଁ କେଉଁଠୁ ଅର୍ଥ ବିନିମୟ କରାଯାଉଛି ତାହା ଜଣାପଡ଼ିନି। ନିକଟରେ ମନ୍ତ୍ରୀ କହିଥିଲେ, ନାଁ ବଦଳିପାରେ। ନାଁ ରେ କ’ଣ ଅଛି। ସେବା ମିଳିବା ଦରକାର। ତେବେ ଏନେଇ ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।

ବିଜେପି ସରକାର କ୍ଷମତାକୁ ଆସିବା ପରେ ଲକ୍ଷ୍ମୀ ବସ୍‌ ନାଁ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମନ୍ତବ୍ୟ। ସୂଚନାଥାଉକି ଜୁନ୍‌ ୨୯ ତାରିଖରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ, ଲକ୍ଷ୍ମୀ ବସ୍‌ର ନାଁ ବଦଳାଯିବ। ମୁଖ୍ୟମନ୍ତ୍ରୀ ବସ୍‌ ସେବା ନାଁରେ ଏଣିକି ରାଜ୍ୟରେ ଗଡ଼ିବ ବସ୍‌। ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଲୋକଙ୍କୁ ବସ୍‌ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମାଲକାନଗିରିରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ କରିଥିଲେ।

Leave A Reply

Your email address will not be published.