ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଓଏଲ୍ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପାଇଁ ଚଳଚଂଚଳ ରଥଖଳା। ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ।
ଅନ୍ୟପଟେ, ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୂଚାରୂ ରୂପେ ପାଳନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଥିବା ୯୦ ଜଣ ଓଏଏସ୍ ଓ ଓଆରଏସ୍ ଅଧିକାରୀଙ୍କୁ ପୁରୀ ଜିଲ୍ଲାରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୩ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଧିକାରୀମାନେ ପୁରୀ ଜିଲ୍ଲାରେ ନିଯୁକ୍ତ ରହିବେ। ବିଭିନ୍ନ ଜିଲ୍ଲାରେ ତହସିଲଦାର, ବିଡିଓ ଓ ସହରାଞ୍ଚଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ଅଧିକାରୀମାନେ ମୁଖ୍ୟତଃ ଆଇନଶୃଙ୍ଖଳା ବ୍ୟବସ୍ଥା ତଦାରଖ ପାଇଁ କାର୍ଯ୍ୟ କରିବେ ବୋଲି କୁହାଯାଇଛି।