Odisha Link
Bridging the Missing Links in Odisha

ଆସାମରେ ଭୟଙ୍କର ବନ୍ୟା; ଗଲାଣି ୩୮ ଜୀବନ

ଓଏଲ୍‌ ବ୍ୟୁରୋ: ଜଳାବର୍ଣ୍ଣ ଆସାମ। ଜୁଆଡ଼େ ଚାହିଁବ ସିଆଡ଼େ କେବଳ ପାଣ ଆଉ ପାଣି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସେଠାରେ ବିପର୍ଯ୍ୟସ୍ତ ସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ହେତୁ ଉତ୍ତର-ପୂର୍ବର ନଦୀଗୁଡ଼ିକରେ ପାଣିସ୍ତର ବିପଦ ସଙ୍କେତ ଡେଇଁଛି। ଯେଉଁଥିପାଇଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଖରାପ ଅବସ୍ଥା ଆସାମର ଅଛି।

ଯେଉଁଠାରେ ବନ୍ୟା ସବୁଠୁ ଅଧିକ ବିପଦ ସୃଷ୍ଟି କରିଛି। ଆସାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଚାଷ ଜମି ଜଳମଗ୍ନ ହେବା ସହ ୨୨୦୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନା ଗୁରୁତର ଭାବରେ ପ୍ରଭାବିତ ଦିବ୍ରୁଗଡ ଜିଲାରେ ବନ୍ୟା ଘେରରେ ଫସି ରହିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।

ରାଜ୍ୟରେ ବ୍ରହ୍ମପୁତ୍ର ସମେତ ୧୩ଟି ବୃହତ ନଦୀରେ ଜଳସ୍ତର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଇତିମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ରାଜ୍ୟରେ ଆସାମ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫ୍‌, ଅର୍ଦ୍ଧସାମରିକ ବାହିନୀ ଯବାନ ଏବଂ ବାୟୁସେନାକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି। ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୭୨ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଥିରେ ପ୍ରାୟ ୮୧୪୨ ଜଣ ଆଶ୍ରୟ ନେଇଛନ୍ତି।

ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜଙ୍ଗଲର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ଫଳରେ ଏଣେତେଣେ ଦୌଡ଼ିବାକୁ ଲାଗିଛନ୍ତି ବନ୍ୟପ୍ରାଣୀ। ବନ୍ୟାରେ ଭାସିଯାଇ ୪ଟି ହରିଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.