Odisha Link
Bridging the Missing Links in Odisha

ହାତରସ ଦୁର୍ଘଟଣା: ସଂସଦରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି। ଏହି ସମୟରେ ବିରୋଧୀ ହଙ୍ଗାମା କରିବା ସହିତ କକ୍ଷତ୍ୟାଗ କରିଥିଲେ। ବିଜୁ ଜନତା ଦଳ ମଧ୍ୟ କକ୍ଷତ୍ୟାଗ କରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି।

ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ରପତିଙ୍କ ଭାଷଣରେ ପ୍ରେରଣା ଓ ପ୍ରୋତ୍ସାହନ ରହିଥିଲା। ସ୍ବାଧୀନତାର ବହୁ ବର୍ଷ ପରେ ଲୋକେ ଏକ ନିର୍ଦ୍ଦିଷ୍ଟ ଦଳକୁ ତୃତୀୟ ଥର ସରକାର ପାଇଁ ମତ ଦେଇଛନ୍ତି। ୧୦ ବର୍ଷରେ ବିଜେପି ସରକାରର ନିରବଚ୍ଛିନ୍ନ ସେବାକୁ ଦେଶବାସୀ ଆଶୀର୍ବାଦ ଦେଇଛନ୍ତି। ଦେଶର ସମ୍ବିଧାନ କାରଣରୁ ଆମକୁ ସେବା କରିବାର ମୌକା ମିଳିଛି। ଯେକୌଣସି ସରକାରଙ୍କ କାର୍ଯ୍ୟକଳାପରେ ସମ୍ବିଧାନ ଲାଇଟ୍‌ ହାଉସର କାମ କରେ। ସମ୍ବିଧାନର ଲକ୍ଷ୍ୟ ନେଇ ସ୍କୁଲ, କଲେଜରେ ନିୟମିତ ତର୍କ, ବିତର୍କ ହେବା ଦରକାର। କରୋନା ସମୟରେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥାକୁ ୧୦ରୁ ୫ ନମ୍ବର ସ୍ଥାନକୁ ଆଣିଛୁ।

ଆଗାମୀ ୫ ବର୍ଷ ମଧ୍ୟରେ ଲୋକଙ୍କ ମୌଳିକ ଆବଶ୍ୟକତାର ପୂରଣ କରାଯିବ। ୫ ବର୍ଷ ଭିତରେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ବ୍ୟାପକ ପରିବର୍ତ୍ତନ ଆସିବ। ଗତ ୧୦ ବର୍ଷରେ କୃଷି କ୍ଷେତ୍ରରୁ ଚାଷୀ ବେଶ ଲାଭବାନ ହୋଇଛନ୍ତି। ଦେଶବାସୀଙ୍କ ବୁଦ୍ଧି ଉପରେ ଗର୍ବ ଲାଗୁଛି। ବିରୋଧୀଙ୍କ ଏଜେଣ୍ଡାକୁ ଲୋକେ ଗ୍ରହଣ କଲେନି। ଧର୍ମ ରାଜନୀତିକୁ ଗ୍ରହଣ କଲେନି ମତଦାତା। ସରକାରଙ୍କ ପାଇଁ ସମ୍ବିଧାନ ଏକ ଦର୍ଶନ ଅଟେ। ସମ୍ବିଧାନ ଆମ ପାଇଁ ବେଶ ମୂଲ୍ୟବାନ। ୧୦ ବର୍ଷର ସିଦ୍ଧାନ୍ତ ଉପରେ ଲୋକଙ୍କ ମୋହର।

ଲୋକେ କେବଳ ଆମ ଉପରେ ବିଶ୍ବାସ ରଖିଛନ୍ତି। ୧୦ ବର୍ଷର ସେବା ଉପରେ ଲୋକଙ୍କ ସମର୍ଥନ। ଆମର ୧୦ ବର୍ଷ ହେଲା, ୨୦ ବର୍ଷ ବାକି ଅଛି। କିଛି ଲୋକ ଏହାକୁ ବୁଝିପାରୁନାହାନ୍ତି। ୬ ଦଶନ୍ଧି ପରେ କ୍ରମାଗତ ଗୋଟିଏ ସରକାରକୁ ସମର୍ଥନ ମିଳିଛି। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ କହିଲେ। ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ। ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି।

ଉତ୍ତରପ୍ରଦେଶର ହାଥରସରେ ଗତକାଲି ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି। ଏପରିକି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଁଞ୍ଚିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ପାରେ ଆଶଙ୍କା ମଧ୍ୟ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଦୁଃଖ ପ୍ରକାଶ କରିଛନ୍ତି।

ବିଶ୍ବକର୍ମା ଗୋଷ୍ଠୀକୁ ଆଧୁନିକତା ଆଡ଼କୁ ନେଇଛୁ। କଂଗ୍ରେସର ଏସ୍‌ସି, ଏସଟି, ଓବିସି ବିରୋଧୀ ମାନସିକତା ରହିଛି। ୧୯୭୭ରେ ଲୋକତନ୍ତ୍ର ତଥା ସମ୍ବିଧାନର ରକ୍ଷା ପାଇଁ ଲୋକେ ଭୋଟ ଦେଇଥିଲେ। ଏଥର ଜନତା ସମ୍ବିଧାନର ରକ୍ଷା ପାଇଁ ଆମକୁ ଜନାଦେଶ ଦେଇଛନ୍ତି। ସମ୍ବିଧାନରେ ମନ ଇଚ୍ଛା ପରିବର୍ତ୍ତନ କରିଛି। କୃଷକଙ୍କ ଉନ୍ନତି ନିମନ୍ତେ ସରକାର ୩ ଲକ୍ଷ କୋଟି ଖର୍ଚ୍ଚ କରିସାରିଲେଣି। ଚାଷୀଙ୍କୁ ସାରରେ ୧୨ ଲକ୍ଷ କୋଟି ଟଙ୍କାର ସବସିଡି ଦିଆଯାଇଛି। ଚାଷୀଙ୍କ ଉପରେ ଏବେ ଆଉ ସାରର ବୋଝ ନାହିଁ। ବିରୋଧୀ ଉଚ୍ଚ ସଦନଙ୍କୁ ନିରନ୍ତର ଅପମାନିତ କରୁଛନ୍ତି। ବିରୋଧୀଙ୍କ ସତ ଶୁଣିବାକୁ ତାକତ ନାହିଁ, ମୈଦାନ ଛାଡ଼ୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.